ଭୁବନେଶ୍ୱର: ରାଜଧାନୀର କଳେବର ବଢ଼ୁଛି। ଜନସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ରାଜଧାନୀବାସୀଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପାଇଁ ୪୧୬ଟି ଅତିରିକ୍ତ ପଦ ମଞ୍ଜୁର କରିଛନ୍ତି। ମୁଖ୍ୟତଃ ଜଳବନ୍ଦି ସମସ୍ୟା ଦୂର କରିବା ଓ ୱାର୍ଡକୁ କ୍ରିୟାଶୀଳ କରିବାକୁ ପ୍ରତି ୱାର୍ଡରେ ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର ଓ କମ୍ୟୁନିଟି ଅର୍ଗାନାଇଜର ପଦ ସୃଷ୍ଟି କରାଯାଇଛି। ଏହାଦ୍ବାରା ନିଗମ ଅଧିକ ଦକ୍ଷ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ବିଏମ୍ସିରେ ବର୍ତ୍ତମାନ ୩ଟି ଜୋନ୍ ରହିଛି। ଏଥିରେ ୨୧୦ଟି ଅନୁମୋଦିତ ପଦ ଅଛି। ଜନସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ଆଗକୁ ୬ଟି ଜୋନ୍ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଅଧିକ ସଂଖ୍ୟକ ନିଯୁକ୍ତି ପାଇଁ ବିଏମ୍ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାହା ଆଜି ପୂରଣ ହୋଇଛି। ୪୧୬ଟି ନୂଆ ପଦ ସୃଷ୍ଟି ଦ୍ବାରା ବିଏମ୍ସିର ପଦ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି। ଏମାନଙ୍କୁ ନେଇ ଆଗକୁ ୬ଟି ଜୋନ୍ରେ କାମ କରିବ ବିଏମ୍ସି। ପ୍ରାଥମିକ ପର୍ଯ୍ୟାୟରେ ୩ଟି ନୂଆ ଜୋନ୍ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଚାଲିବ।
ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର
୬ଟି ଜୋନ୍ରେ କାମ କରିବ ବିଏମ୍ସି
ପୂର୍ବରୁ ବିଏମ୍ସିର ପ୍ରଶାସନିକ କ୍ଷେତ୍ରରେ ଜଣେ ଆଡିସନାଲ କମିସନର ପଦ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିସନର ପଦ ସୃଷ୍ଟି କରାଯାଇଛି। ସେହିପରି ୬ଟି ନୂତନ ଜୋନାଲ କମିସନର ପଦ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିସନର ପଦ ଥିବାବେଳେ, ଏବେ ଉକ୍ତ ପଦ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିସନର ପଦ ଥିବାବେଳେ ଆଉ ୯ଟି ପଦ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିସନର ପଦ ରଖାଯାଇଛି। ଏହିପରି ନିଗମର ଅର୍ଥ ବିଭାଗରେ ୧୧, ଯୋଜନା ବିଭାଗରେ ୪, ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫, ଡ୍ରେନେଜ ବିଭାଗରେ ୨୦, ମେକାନିକାଲ ବିଭାଗରେ ୨, ଆଇନ ବିଭାଗରେ ୧, ଲୋକସଂପର୍କ ବିଭାଗରେ ୨, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭, ପ୍ରାଣୀକଲ୍ୟାଣ ବିଭାଗରେ ୪, ସାମାଜିକ କଲ୍ୟାଣ ବିଭାଗରେ ୧୩, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ୧, ଏନ୍ଫୋର୍ସମେଣ୍ଟ ବିଭାଗରେ ୧୯, ଅମଲା ବିଭାଗରେ ୯୩ ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦ ସୃଷ୍ଟି କରାଯାଇଛି।
ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି। ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦକୁ ୭ରୁ ୧୩କୁ ଏବଂ ସିଭିଲ ଜୁନିଅର ଇଂଜିନିୟର ପଦ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି। ସେହିପରି ପରିମଳ (ଇଂଜିନିୟରିଂ)ରେ ମଧ୍ୟ ୫ଟି ନୂତନ ପଦ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ରହିଛି। ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦ ରହିଛି। ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ସେଥିରେ ୧୮୭ଟି ନୂଆ ପଦ ସୃଷ୍ଟି କରାଯାଇଛି। ପୂର୍ବରୁ ଏଥିରେ ୮୧ ପଦ ଥିଲା। ବର୍ତ୍ତମାନ ସମୁଦାୟ ପଦ ସଂଖ୍ୟା ୨୬୮ ହେଲା। ପୂର୍ବରୁ ୱାର୍ଡ ଅଫିସର ପଦ ନ ଥିବାବେଳେ, ୬୭ଟି ନୂଆ ୱାର୍ଡ ଅଫିସର ପଦ ସୃଷ୍ଟି କରାଯାଇଛି। ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍ସ କଲେକ୍ଟର) ପଦ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି। ସାନିଟାରୀ ଇନ୍ସପେକ୍ଟର ପଦ ସଂଖ୍ୟା ୬ ଥିବାବେଳେ, ଏଥିରେ ୬୧ଟି ନୂଆ ପଦ ଯୋଗ କରାଯାଇଛି। ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି।