ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮୫ରେ ପହଞ୍ଚିଲା

ଆଜି ୭୦ ରୁ ୬୪ ଲୋକାଲ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ୬୯୨, ଆକ୍ଟିଭ ୨୮୯

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ସର୍ବାଧିକ ନୂଆ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪ ଜଣ ସ୍ଥାନୀୟ ସଂକ୍ରମଣରୁ ହିଁ ଚିହ୍ନଟ ହୋଇଥିବା ବେଳେ ମାତ୍ର ୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୮୫ରେ ପହଞ୍ଚିଛି। ଆସନ୍ତାକାଲି ଏଇ ସଂଖ୍ୟା ହଜାରେ ପାର ହୋଇଯିବା ନେଇ ଆଶଙ୍କା କରାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୯୦ ଜଣ ସୁସ୍ଥ ହୋଇଛନ୍ତି। ୨୮୯ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ୨୨ ହଜାର ୮୮୭ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଛି। ଏହା ଭିତରେ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାରେ ଆଜିସୁଦ୍ଧା ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ୧୫ରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ ଓ ୧୨ ଜଣ ବ୍ୟାଙ୍କ କର୍ମଚାରୀ ଓ ୨୦ ଜଣରୁ ଉର୍ଦ୍ଧ୍ବ ବିଭିନ୍ନ ସରକାରୀ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଅଧିକ ଆକ୍ରାନ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ‌ଚିହ୍ନଟ ହେଉଥିବା ବେଳେ ଅଗଷ୍ଟ ମାସ ଆରମ୍ଭରୁ ଅଧିକ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ଗୋଟିଏ କୋଭିଡ୍ ହସିପିଟାଲ ରହିଥିବା ବେଳେ ଏହାର ବେଡ୍ ସଂଖ୍ୟା ୧୨୦ ରହିଛି। ଏବେ ଅଧିକରୁ ଅଧିକ କୋଭିଡ ରୋଗୀଙ୍କୁ କେବଳ କୋଭିଡ୍ କେୟାର କେନ୍ଦ୍ରରେ ରଖାଯାଇ ଚିକିତ୍ସା ସେବା ଯୋଗାଇଦିଆଯାଇଛି। ଓଲଙ୍ଗରେ ୧୦୦ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାରେ ମୋଟ ୨୨୦ ଜଣ ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏହା ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିହିଡି, ଧାମନଗର ଓ ଭଣ୍ଡାରିପୋଖରୀ ଆଦର୍ଶ ବିଦ୍ୟାଳୟକୁ କୋଭିଡ୍ କେୟାର କେନ୍ଦ୍ର କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ଏଠାରେ ଆବଶ୍ୟକ ଡାକ୍ତର ଓ ନର୍ସ ଯୋଗାଇ ଦେବା ନେଇ ସ୍ବାସ୍ଥ୍ୟ ବିଭାଗ କଣ ବିକଳ୍ପ ବ୍ୟବସ୍ଥା କରିବେ ତାହାକୁ ନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି।

ଆଜି ଚିହ୍ନଟ ହୋଇଥିବା ୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ବ୍ଲକ ଓ ପୌରାଞ୍ଚଳରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଇ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଏବେ ପ୍ରଶାସନକୁ ଅଡୁଆ ପରିସ୍ଥିତିରେ ପକାଇଦେଇଛି। ଯେଉଁ ଲୋକମାନେ ସହରାଞ୍ଚଳରୁ ଆକ୍ରାନ୍ତ ହୋଇ ଚିହ୍ନଟ ହୋଇଛନ୍ତି, ସେମାନେ କାହା କାହା ସହ ମିଶିଛନ୍ତି ତାହା ଚିହ୍ନଟ କରିବା ଏବେ କଷ୍ଟକର ବ୍ୟାପାର ହୋଇଛି। କେଉଁ ଲୋକ କୁଆଡୁ ସହରକୁ ଆସିଥିଲେ ସେମାନେ କାହା କାହ ସହ ମିଶିଛନ୍ତି ତାହା ଜାଣିବା ସହଜ ନୁହେଁ। ତେଣୁ ଏବେ ଭଦ୍ରକରେ କରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ଯାଇଥିବା ବେଳେ ନିଜେ ଲୋକମାନେ ସତର୍କ ନହେଲେ ପରିସ୍ଥିତି ଆହୁରି ଆଗକୁ ବିଗିଡି ଯିବାର ସମ୍ଭାବନା ରହିଛି। ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାରେ ପ୍ରତି ବ୍ଲକସ୍ତରରେ ପ୍ରତିଦିନ ବିଭିନ୍ନ ପଞ୍ଚାୟତୱାରୀ କ୍ୟାମ୍ପ କରାଯାଇ ସ୍ବାବ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି। ଏପରି କରାନଗଲେ ଆଗାମୀ ଦିନରେ ଖୋର୍ଦ୍ଧା କିମ୍ବା ଗଂଜାମ ଜିଲ୍ଲାର ଅବସ୍ଥା‌ ପରି ହୋଇଯିବ ବୋଲି ପୂର୍ବାନୁମାନ କରାଯାଉଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବନ୍ତ ବ୍ଲକର ବସନ୍ତିଆ ଟିଏମସିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସିନନ୍ଦିରୁ ୪ ଜଣ, ରାଉତରାପୁର ବିଟିପୁର ଆଗରପଡାରୁ ଜଣେ, ବିଶଲକଣାରୁ ଜଣେ, ବନ୍ତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତିହିଡି ବ୍ଲକର ଗୋପାଳବିନ୍ଧାରୁ ଜଣେ, ଗୁଆମାଳରୁ ଜଣେ, ବୋଡକ ବିଲଣାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାସୁଦେବପୁର ବ୍ଲକର ବରଣ୍ଡୁଆରୁ ୨ ଜଣ ଟିଏମସିରୁ ଚିହ୍ନଟ କରାଯାଇଛି। ଧାମନଗର ବ୍ଲକର ଚୂଡାକୁଡିରୁ ଜଣେ, ହବିବନଗରରୁ ଜଣେ, ଗୋଖାଢିପ, ତାଳପଦା, ଶ୍ୟାମପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇନ୍ଦ୍ରଗୋବିନ୍ଦପୁର ସ୍କୁଲ କେନ୍ଦ୍ରରୁ ୨ ଜଣ, ରଘନାଥପୁରରୁ ୨ ଜଣ, ଭଗବାନପୁର ଆହାରପୁରରୁ ୫ ଜଣ, ଗୋଆପୋଖରୀରୁ ୩ ଜଣ, ବେତାଳିଗାଁରୁ ଜଣେ, କୋଠାରରୁ ୩ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଭଣ୍ଡାରିପୋଖରୀ ନାଆମୀ ଟିଏମସିରୁ ଜଣେ ଓ ବାହାରୁ ଜଣେ , ଶୋଳମପୁର ଓ ମଂଜୁରୋଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳର ପୁରୁଣାବଜାରରୁ ଜଣେ, ମିର୍ଜାପୁରରୁ ୨ ଜଣ, ବେଲଦାରୁ ଜଣେ, ଶଙ୍କରପୁରରୁ ଜଣେ, ବାଗୁରାଇରୁ ଜଣେ, ସନ୍ଥିଆରୁ ଜଣେ, ଓଲଙ୍ଗ ତେନ୍ତୁଳିଗଡିଆ, ଅପର୍ତ୍ତିବିନ୍ଧା, ବାଲିପାଟଣା, ମଠସାହି, ବରାଳପୋଖରୀ, ଗୋରାମାଟି ତୋରାଣୀପଦା, ଚରମ୍ପା,ରଘୁପତିବିନ୍ଧା,ଇଚ୍ଛାପୁର, ଗୋପବନ୍ଧୁନଗର ୱାର୍ଡ ୬, ଅପର୍ତ୍ତିବିନ୍ଧା ୱାର୍ଡ ୧୩ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକର ୱାର୍ଡ ୧୫ ସାବନବଜାରରୁ ୬ ଜଣ, ବାଇପାସରୁ ୨ ଜଣ, ସରକାରନଗରରୁ ୨ ଜଣ, ଚନ୍ଦନବଜାରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଇସବୁ କରୋନା ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସହର ଓ ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର