୧୮ବର୍ଷରୁ କମ୍ ସଂକ୍ରମିତ ପିଲାଙ୍କ ସଂଖ୍ୟା ୧୭% ବୃଦ୍ଧି

୨୪ ଘଣ୍ଟାରେ ୬୮୧ ପଜିଟିଭ୍, ୫ ମୃତ

ଭୁବନେଶ୍ବର : ରାଜ୍ୟରେ ଧୀରେଧୀରେ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ବଢ଼ିବାରେ ଲାଗିଛି। ପୂର୍ବରୁ ଏହା ୧୨-୧୪ ପ୍ରତିଶତ ଭିତରେ ସୀମିତ ରହୁଥିବା ବେଳେ ତାହା ବୃଦ୍ଧି ପାଇ ୧୭ ପ୍ରତିଶତରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୮୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ୧୧୮ ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରମାଗତ ଭାବେ ଶିଶୁଙ୍କ ସଂକ୍ରମଣ ନେଇ ଲୋକମାନଙ୍କୁ ସଚେତନ କାର୍ଯ୍ୟକ୍ରମ କରାଯାଉଛି। ଏହା ସତ୍ତ୍ବେ ଏହି ବର୍ଗର ଶିଶୁ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ଚାଲିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ବାମାମା’ଙ୍କଠାରୁ ହିଁ ଶିଶୁକୁ ସଂକ୍ରମଣ ବ୍ୟାପିବ। ନିଜ ପିଲାଙ୍କୁ ବଞ୍ଚାଇବାକୁ ହେଲେ ପ୍ରଥମେ ନିଜକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସେହିପରି ଖୋର୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଏବେ ବି ଜାରି ରହିବା ଉପରେ ଡା.ମିଶ୍ର କହିଛନ୍ତି, ରାଜ୍ୟରେ କରୋନା କମିବା ପର୍ଯ୍ୟାୟ‌ରେ ରହିଛି। ଖୋର୍ଧା, କଟକରେ ଲୋକ ସଂଖ୍ୟା ଅଧିକ, ତେଣୁ ସର୍ଭେଲାନ୍‌ସ ବି ଅଧିକ ହେଉଛି। ଅନେକ ଟିକା ନେଲେ କରୋନା ହେବ ନାହିଁ ବୋଲି ଭାବୁଛନ୍ତି। ମାତ୍ର ଏହା ଭୁଲ୍ ଧାରଣା। ନିଜର ପାଖ ଲୋକ ବି କରୋନାର ବାହକ ହୋଇପାରେ। ତେଣୁ ଟିକା ନେଇଥିବା ଲୋକ ମଧ୍ୟ କୋଭିଡ ନିୟମାବଳିକୁ ମାନିବା ଜରୁରୀ ବୋଲି ସେ କହିଛନ୍ତି।

ଗତ ୨୪ଘଣ୍ଟାରେ ଖୋର୍ଧାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୧୦୧, ବାଲେଶ୍ବରରୁ ୩୪, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୨୭, ପୁରୀରୁ ୨୬, ସୁନ୍ଦରଗଡ଼ରୁ ୨୦, ଜଗତସିଂହପୁର ଓ ଢେଙ୍କାନାଳରୁ ୧୯ ଲେଖାଏଁ, ଅନୁଗୁଳରୁ ୧୮ ଓ ଷ୍ଟେଟ୍‌ ପୁଲରୁ ୪୮ଜଣଙ୍କୁ ଚିହ୍ନଟ କରାଯାଇଛି। ୧୧ ଜିଲ୍ଲାରେ ଦୈନିକ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୫୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଉ ୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣ କରାଯାଇଛି। ମୃତକଙ୍କ ମଧ୍ୟରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଖୋର୍ଧା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୦୪୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୨୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୬ହଜାର ୩ଶହକୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୬୩୬୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୪୩୭ ଚିକିତ୍ସାଧୀନ ରୋଗୀ ଅଛନ୍ତି।

ସମ୍ବନ୍ଧିତ ଖବର