ଭୁବନେଶ୍ବର : ରାଜ୍ୟରେ କେତେ ବେଆଇନ୍ ଚିଟ୍ଫଣ୍ଡ୍ ସଂସ୍ଥା ଅଛି ଓ ସେମାନେ କେତେ ଟଙ୍କା ଠକିଛନ୍ତି, ତାହାର ହିସାବ ଏ ଯାଏ ସରିନାହିଁ। ସୋମବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚକ୍ରଧର କଅଁରଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଷ୍ଟିସ୍ ମଦନ ମୋହନ ଦାସ ତଦନ୍ତ କମିସନ୍ଙ୍କର ଚୂଡ଼ାନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ। ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା, ଜିଲ୍ଲା ପୁଲିସ ଅଧିକାରୀ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ପ୍ରକ୍ରିୟା ମଧ୍ୟ ଚାଲୁଅଛି। ତେଣୁ ବେଆଇନ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ନାମ, ସେମାନେ ଠକିଥିବା ମୋଟ ଟଙ୍କାର ପରିମାଣ ଓ ଉକ୍ତ ବେଆଇନ ଆର୍ଥିକ ସଂସ୍ଥାଗୁଡ଼ିକର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ କେତେ ତାହା ଆକଳନ ହୋଇ ନାହିଁ।
ଜମାକାରୀଙ୍କୁ ଟଙ୍କା ଫେରସ୍ତ ସମ୍ପର୍କରେ ଅର୍ଥ ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଜଣାଇଛନ୍ତି ଯେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା, କମିସନରେଟ୍ ପୁଲିସ ଏବଂ ବାଲେଶ୍ବର, ବ୍ରହ୍ମପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ଜିଲ୍ଲା ଏସ୍ପିଙ୍କ ଦ୍ବାରା ତଦନ୍ତ କରାଯାଇ ବର୍ତ୍ତମାନ ସୁଦ୍ଧା ୫୯ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି ନିମିତ୍ତ ୭୬ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ସରକାର ଅନ୍ତରୀଣ କୋରଖ ଆଦେଶ ପ୍ରଦାନ କରଛନ୍ତି। ଇତିମଧ୍ୟରେ ବିଭିନ୍ନ ଡେଜିଗ୍ନେଟେଡ୍ କୋର୍ଟ ୨୫ଟି କେସ୍ର ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ କାଏମ୍ ରଖିଛନ୍ତି। ଯେଉଁ ବେଆଇନ ଆର୍ଥିକ ପ୍ରତିଷ୍ଠାନମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକୁ ବ୍ୟାଜାପ୍ତ ନିମିତ୍ତ ସରକାର ପ୍ରଦାନ କରିଥିବା ଅନ୍ତରୀଣ କୋରଖ ଆଦେଶକୁ ବିଭିନ୍ନ େଡଜିଗ୍ନେଟେଡ୍ କୋର୍ଟ କାଏମ୍ ରଖିଛନ୍ତି, ସେହି ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ନିଲାମ କରି ବିକ୍ରି ଲବ୍ଧ ଅର୍ଥକୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯାଇ ଫେରସ୍ତ ପାଇଁ ସଂପୃକ୍ତ କ୍ଷମତାସମ୍ପନ୍ନ ଅଧିକାରୀମାନେ ସରକାରୀ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତଦନ୍ତ କମିସନ୍ ଇତିମଧ୍ୟରେ ପ୍ରଦାନ କରିଥିବା ୭ଟି ଅନ୍ତରୀଣ ରିପୋର୍ଟର ସୁପାରିସ୍ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି ରାଜ୍ୟ ସରକାର ଗଠନ କରିଥିବା ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠିରୁ କ୍ଷତିପୂରଣ ଆକାରେର ପ୍ରଦାନ ପ୍ରକ୍ରିୟା ଚାଲୁଛି। ଦ୍ବିତୀୟ ପର୍ଯ୍ୟାୟରେ ତଦନ୍ତ କମିସନ୍ଙ୍କ ନିକଟରେ କ୍ଷତିଗ୍ରସ୍ତ ଜମାକାରୀମାନେ ଦାଖଲ କରିଥିବା ସତ୍ୟପାଠଗୁଡ଼ିକ ମଧ୍ୟରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠଗୁଡ଼ଇକର ଡିଜିଟାଇଜେସନ୍ ନିମନ୍ତେ ଓକାକ୍କୁ ନିୟୋଜିତ କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।