୧୫ଦିନ‌‌ରେ କରୋନା ରୋଗୀଙ୍କ ସଂଖ୍ୟା ୧୭% ବୃଦ୍ଧି

ଭୁବନେଶ୍ବର : ମାର୍ଚ ୨୨ ତାରିଖରେ ରାଜ୍ୟରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭୮୫ ରହିଥିଲା। ମାତ୍ର ଏହାର ୧୫ ଦିନ ପରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬୬୦ରେ ପହଞ୍ଚିଛି। ହଠାତ୍ ପ୍ରାୟ ୧୭ ପ୍ରତିଶତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏହା ରାଜ୍ୟରେ କରୋନାର ଦ୍ବିତୀୟ ଲହରର ଭୟାବହତାକୁ ପ୍ରକାଶ କଲାଣି। ଯଦି ଏଭଳି ସଂକ୍ରମଣ ଜାରି ରହେ, ତାହାଲେ ରାଜ୍ୟରେ ଖୁବ୍‌ଶୀଘ୍ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ହଜାର ଛୁଇଁଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଏଭଳି ପରିସ୍ଥିତିରେ ପୁଣିଥରେ କୋଭିଡ୍‌ ହସ୍ପିଟାଲ, କେୟାର ସେଣ୍ଟର୍‌ରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ରାଜ୍ୟ ସରକାର ଗତକାଲି ସବୁ ଜିଲ୍ଲାପାଳ, ନଗର ନିଗମକୁ ଚିଠି ଲେଖି କୋଭିଡ୍‌ କେୟାର ସେଣ୍ଟର୍‌ ବା ସିସିସି ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଚଳିତ ସଂକ୍ରମଣରେ ୯୦ ପ୍ରତିଶତରୁ ଅଧିକ‌ ଲୋକଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁ ନାହିଁ। ତେଣୁ ରୋଗୀମାନେ ଘରେ ରହି ଚିକିତ୍ସିତ ହୋଇପାରିବେ। ଛତିଶଗଡ଼ ସଂଲଗ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି। ତେଣୁ ଏସବୁ ଜିଲ୍ଲାରେ ନୂତନ ଷ୍ଟ୍ରେନ୍ ପାଇଁ ସଂକ୍ରମଣ ବଢ଼ୁଛି କି ନାହିଁ, ତାହାର ଅନୁସନ୍ଧାନ ଜାରି ରହିଛି ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଧୀରେଧୀରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧,୦୫୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର ୨.୮ ପ୍ରତିଶତ ରହିଛି। ସପ୍ତାହେ ତଳେ ଟିପିଆର୍ ୧ ପ୍ରତିଶତ ତଳେ ରହିଥିବା ବେଳେ ଏବେ ୩ ପ୍ରତିଶତ ଛୁଇଁବାକୁ ବସିଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ନୂତନ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ସଂକ୍ରମିତ ତାଲିକାରେ ଆଗରେ ରହିଛନ୍ତି। ଖୋର୍ଧାରୁ ୧୪୪ ଓ ସୁନ୍ଦରଗଡ଼ରୁ ୧୩୧ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ନୂଆପଡ଼ା ୬୧, ବରଗଡ଼ ୫୩, କଟକ ୫୦, ସମ୍ବଲପୁର ୪୮, ପୁରୀ, ୪୫, କଳାହାଣ୍ଡି ୪୩, ଗଞ୍ଜାମ ୩୧, ମୟୂରଭଞ୍ଜ ୨୯, ବଲାଙ୍ଗୀର ୨୬ ଓ କେନ୍ଦୁଝରରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୫ହଜାର ୫୨୬କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ତୁଳନାରେ ଆଜି କମ୍ ରୋଗୀ ସୁସ୍ଥ ହୋଇଛନ୍ତି। ୨୨୮ ସୁସ୍ଥ ରୋଗୀଙ୍କୁ ମିଶାଇ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୮୯୦ରେ ପହଞ୍ଚି ଯାଇଛି। କେବଳ ଖୋର୍ଧା ଓ ସୁନ୍ଦରଗଡ଼ରେ ୭ଶହରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର