ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ରବିବାର ୬୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ଜଣ ଅଛନ୍ତି। ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ସେପ୍ଟେମ୍ବର ୨୨ତାରିଖରେ ସର୍ବାଧିକ ୭୩୪ଜଣ ଚିହ୍ନଟ ହୋଇଥିବା ବେଳେ ଅକ୍ଟୋବର ୪ରେ ଏହା ୪୦୭କୁ ଖସିଥିଲା। ରାଜ୍ୟ ସରକାର ପାର୍ବଣ ସମୟ ଚାଲେଞ୍ଜପୂର୍ଣ୍ଣ ହେବ ବୋଲି କହୁଥିବା ବେଳେ ଦଶହରାର କିଛି ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କ ପାଇଁ ନୂଆ ଚାଲେଞ୍ଜ ସୃଷ୍ଟି କରିଛି।

Advertisment

ବିଶେଷକରି ଭୁବନେଶ୍ବର ଓ କଟକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପାର୍ବଣ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି। ୪୩୮ଜଣ ଆଜି ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତ କିଛିଦିନର ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବରଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ କରୋନା ଉପରମୁହାଁ ଅଛି।