ଏମ୍‌ସରେ ବଢ଼ିଲା କୋଭିଡ୍‌ ଶଯ୍ୟା ସଂଖ୍ୟା; ବନ୍ଦ ହେବନି ଓପିଡି, ପୂର୍ବବତ ଅସ୍ତ୍ରୋପଚାର ଜାରି ରହିବ

ଟେଲିମେଡିସିନ୍‌ ଉପରେ ଗୁରୁତ୍ବ

ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏମ୍‌ସରେ କୋଭିଡ୍‌ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଆଗରୁ ଏଠାରେ ୨୬ଟି ଶଯ୍ୟା ଥିବା ବେଳେ ଏବେ ତାହା ୫୬କୁ ବୃଦ୍ଧି ପାଇଛି। ଆବଶ୍ୟକସ୍ଥଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବୃଦ୍ଧି ପାଇଥିବା ଶଯ୍ୟା ସଂଖ୍ୟା ଅନୁଯାୟୀ, କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମଧ୍ୟ ନିୟୋଜିତ ହେବେ। ଅପରପକ୍ଷେ ହସ୍ପିଟାଲରେ କୋଭିଡ୍‌ ଓ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସାକୁ ସମାନ ଗୁରୁତ୍ବ ଦିଆଯାଉଛି। ଓପିଡି ବନ୍ଦ ହୋଇନଥିବା ବେଳେ ଜଟିଳ ରୋଗୀଙ୍କ ଅସ୍ତ୍ରୋପଚାର ମଧ୍ୟ ପୂର୍ବବତ୍‌ ଜାରି ରହିଛି। ସେହିପରି ଆଗାମୀ ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ ଟେଲିମେଡିସିନ୍‌, ସ୍ବାସ୍ଥ୍ୟ ଆପ୍‌କୁ ରୋଗୀଙ୍କ ନିକଟରେ ପହଞ୍ଚାଇବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏମ୍‌ସରେ ଆୟୋଜିତ ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଉଭୟ କୋଭିଡ୍‌, ଅଣକୋଭିଡ୍‌ ରୋଗୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ଏମ୍‌ସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଏଠାରେ ସମୁଦାୟ ୨୬ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୭ଜଣ ଆଇସିୟୁ, ୬ଜଣ ଭେଣ୍ଟିଲେଟର୍‌ରେ ଅଛନ୍ତି। ଏଥିସହ ପ୍ରତିଦିନ ୩୦୦ ରୋଗୀଙ୍କ କୋଭିଡ୍ ପରୀକ୍ଷା କରାଯାଉଛି। ସେଥିରୁ ହାରାହାରି ୨୦ଜଣଙ୍କ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ପୂର୍ବରୁ ଯେଉଁଠି ରୋଗୀ ସଂଖ୍ୟା ଏକଅଙ୍କ ମଧ୍ୟରେ ସୀମିତ ରହୁଥିଲା, ଦୁଇ ସପ୍ତାହ ମଧ୍ୟରେ ସେଥିରେ ଅହେତୁକ ବୃଦ୍ଧି ହୋଇଥିବାରୁ ଏହାର ମୁକାବିଲା ପାଇଁ ଡାକ୍ତରଖାନା ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ଏହି ଡାକ୍ତରଖାନାରେ ୧୭୦ରୁ ୨୦୦ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରାଯାଇଛି। ତେଣୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଡାକ୍ତରଖାନା ପ୍ରସ୍ତୁତ ରହିଛି। ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ୍‌, ଔଷଧ ମଧ୍ୟ ମହଜୁଦ ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। କୋଭିଡ୍‌ ରୋଗୀଙ୍କ ପାଇଁ ସମୁଦାୟ ୧୦ଟି ଭେଣ୍ଟିଲେଟର୍‌ ସଂରକ୍ଷିତ ରହିଛି। ଆବଶ୍ୟକ ପଡ଼ିଲେ ଡାକ୍ତରଖାନାରେ ଥିବା ଅନ୍ୟ ଭେଣ୍ଟିଲେଟର୍‌କୁ ମଧ୍ୟ ସେମାନଙ୍କ ପାଇଁ ଉପଯୋଗ କରାଯାଇପାରିବ। ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି, ଏହା ଏକ ଅଣକୋଭିଡ୍‌ ଡାକ୍ତରଖାନା। କର୍କଟ ସମେତ ଅନେକ ଗୁରୁତର ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ସମାନ ଗୁରୁତ୍ବ ଦେଇ ଚିକିତ୍ସା କରାଯିବ। ପୂର୍ବ ଭଳି ଅସ୍ତ୍ରୋପଚାର ଜାରି ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲଗା ଯାଇଥିବାରୁ ଏମ୍‌ସକୁ ଏବେ ରାଜ୍ୟ ବାହାରୁ କମ୍‌ ରୋଗୀ ଆସୁଛନ୍ତି।

ସମ୍ବନ୍ଧିତ ଖବର