ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୬ ହଜାରକୁ ଖସିଲା

୬୧୧୮ ପଜିଟିଭ୍, ୪୧ ମୃତ, ଚିକିତ୍ସାଧୀନ ତାଲିକାରେ ଓଡ଼ିଶା ୬ନଂ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଜାରି ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୫ତାରିଖ ତୁଳନାରେ ୮୮୪ ଜଣ କମ୍। ପଜିଟିଭ୍ ହାର ମଧ୍ୟ ୯.୧ ପ୍ରତିଶତ ରେକର୍ଡ କରାଯାଇଛି। ମାତ୍ର ଚିକିତ୍ସାଧୀନ ରୋଗୀଙ୍କ କ୍ଷେତ୍ରରେ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୬ନଂରେ ରହିଛି। ଯାହାର ପରିଣାମସ୍ବରୂପ ରାଜ୍ୟରେ ସଂକ୍ରମଣ ହ୍ରାସ ସତ୍ତ୍ବେ ମୃତ୍ୟୁ ସଂଖ୍ୟା ଉଚ୍ଚ ରହିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୧ଜଣଙ୍କ କରୋନା ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିରେ ଖୋର୍ଧା ୬, ସୁନ୍ଦରଗଡ଼ ୪, ଗଞ୍ଜାମ, ପୁରୀରେ ୩ ଲେଖାଏଁ, ସୋନପୁର, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଗଜପତି ଓ ବରଗଡ଼ରେ ୨ ଲେଖାଏଁ, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି। ଦ୍ବିତୀୟ ଲହରରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୫୯ଜଣଙ୍କ ସରକାରୀ ଭାବେ କରୋନାରେ ମୃତ୍ୟୁ ହୋଇଛି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଲକ୍‌ଡାଉନ୍ ଅବଧି ଶେଷ ହେବା ବେଳକୁ ପଜିଟିଭ୍ ହାର ୫ ପ୍ରତିଶତରେ ପହଞ୍ଚି ଯାଇଥିବ। ଏହାସହ ଭୁବନେଶ୍ବର ଓ କଟକରେ ସଂକ୍ରମଣ କମିବା ଏକ ଶୁଭ ଖବର। ବର୍ତମାନ ସମୟରେ ଟିକାକରଣକୁ ବ୍ୟାପକ କରାଯାଉଛି। ଡିସେମ୍ବର ସୁଦ୍ଧା ଅଧିକାଂଶ ଲୋକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇପାରି ଥିବେ। ତେଣୁ ତୃତୀୟ ଲହର ସେତେଟା କ୍ଷତିକାରକ ହେବ ନାହିଁ। ଅପରପକ୍ଷରେ ରାଜ୍ୟର ଦୈନିକ କରୋନା ସଂକ୍ରମଣରେ ଆଗୁଆ ରହିଥିବା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ଦେଖିବାକୁ ମିଳିଛି। ଜିଲ୍ଲାରେ ୪୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର କଟକରେ ୬୪୦ ଓ ଯାଜପୁରରେ ୫୬୩ ଆକ୍ରାନ୍ତଙ୍କ ସହ ଗତ ୨୪ଘଣ୍ଟାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହାସହ ଅନୁଗୁଳ ୪୧୬, ପୁରୀ ୩୯୮, ମୟୂରଭଞ୍ଜ ୩୫୨, ସୁନ୍ଦରଗଡ଼ ୨୭୨, ଭଦ୍ରକ ୨୨୮, କୋରାପୁଟ ୧୮୦, ନବରଙ୍ଗପୁର ୧୬୬, ନୟାଗଡ଼ ୧୬୧ ଓ ଷ୍ଟେଟ୍‌ ପୁଲରୁ ୧୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୧୯ହଜାର ୨୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୨୪୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାର ୮୦୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮,୩୨୧କୁ ଖସି ଆସିଛି। ରାଜ୍ୟରେ ଏବେ ୧୦ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକ ୟୋଲୋ କିମ୍ବା ଗ୍ରିନ୍ ଜୋନ୍‌ରେ ରହିଛନ୍ତି। ଏସବୁ ଜିଲ୍ଲା ଗୁଡ଼ିକରେ ଯଥାକ୍ରମେ ହଜାରେ ଓ ୫ଶହରୁ ତଳକୁ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର