ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାରରୁ କମିଲା

ଭୁବନେଶ୍ବର : ଦୁଇ ଦିନ ଧରି ୩ ହଜାରରୁ ଅଧିକ ଦୈନିକ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ପୁଣିଥରେ ୩ ହଜାର ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରଜ୍ୟରେ ସଂକ୍ରମଣ ହାର ରହିଛି ୪.୫୩ ପ୍ରତିଶତ। ରାଜ୍ୟରେ ସଂକ୍ରମଣ ହାର ଦିନକୁ ଦିନ ଖସି ଚାଲିଥିବା ବେଳେ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି। ଏସବୁ ଜିଲ୍ଲାରେ ସଂକ୍ରମଣ ହାର ୮ କିମ୍ବା ଏହାଠାରୁ ଅଧିକ ରହିଛି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୧୧.୨, ଖୋର୍ଧାରେ ୧୦.୧, ପୁରୀ ୮, କଟକ ୭.୮ ଓ ଯାଜପୁରରେ ୮.୫ ପ୍ରତିଶତ ରହିଥିବା ରିପୋର୍ଟ କରାଯାଇଛି। ରାଜ୍ୟ ସରକାର ଏସବୁ ଜିଲ୍ଲାଗୁଡ଼ିକରେ ଅଧିକ ଫୋକସ ରଖୁଥିବା କହୁଥିଲେ ହେଁ ସଂକ୍ରମଣ କମୁ ନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ବେଳେବେଳେ ଏହା ଉଚ୍ଚ କିମ୍ବା ନୀଚ ହେଉଛି। ସଂକ୍ରମଣ ଜିଲ୍ଲା ଉପରେ ସ୍ବତନ୍ତ୍ର ଭାବରେ ନଜର ରଖାଯାଇଛି। ତୃତୀୟ ଲହରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାକୁ ନେଇ ଅଧିକାରୀଜଣକ କହିଛନ୍ତି ଯେ ବମ୍ବେ ଓ ଦିଲ୍ଲୀରେ ଦ୍ବିତୀୟ ଲହର ଆସିବା ପରେ ଏହା ଓଡ଼ିଶାକୁ ଛୁଇଁଥିଲା। ତେଣୁ ଦେଶରେ ତୃତୀୟ ଲହର ଆରମ୍ଭ ହେଲେ ତାହା ଆଗୁଆ ଜାଣି ହେବ ବୋଲି ଆଶା କରାଯାଉଛି।

ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୦୧ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କଟକରେ ୩୮୨, ଯାଜପୁର ୨୯୨, ବାଲେଶ୍ବର ୨୨୦, ମୟୂରଭଞ୍ଜ ୧୭୪, ପୁରୀ ୧୬୧, ନୟାଗଡ଼ ୧୪୦, ଭଦ୍ରକ ୧୩୬, ଅନୁଗୁଳ ୧୧୯ ଓ ଷ୍ଟେଟପୁଲରୁ ୬୫ ଜଣଙ୍କୁ ଚିହ୍ନଟ କରାଯାଇଛି। ୧୯ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି। ଅପରପକ୍ଷେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮,୯୩, ୫୦୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪୦ ଜଣକ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ରହିଛନ୍ତି। ନୟାଗଡ଼, କଟକ, ବରଗଡ଼ରେ ୫ ଲେଖାଏଁ, ଅନୁଗୁଳରେ ୩, ସୁନ୍ଦରଗଡ଼, ପୁରୀ, ବୌଦ୍ଧ, ବଲାଙ୍ଗୀର, ଭଦ୍ରକ, ବାଲେଶ୍ବରରେ ୨ ଲେଖାଏଁ, ଗଞ୍ଜାମରେ ଜଣେ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତକଙ୍କ ସଂଖ୍ୟା ୩୮୦୧ରେ ପହଞ୍ଚିଛି। ଅପରପକ୍ଷେ ରାଜ୍ୟରେ ଆଜି ୩୬୪୪ କରୋନା ରୋଗୀ ସସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୯,୫୧୨କୁ ଖସି ଆସିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୮,୬୦,୧୪୨ ରୋଗୀ ସୁସ୍ଥ ହୋଇସାରିଲେଣି।

ସମ୍ବନ୍ଧିତ ଖବର