ଡରାଇଲାଣି ଡେଙ୍ଗୁ : କୋରାପୁଟ ଜିଲ୍ଲାରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ସରକାରୀ ଖାତାରେ ୧୩ ରୋଗୀ

କୋରାପୁଟ : ଯୁବ ସାମ୍ବାଦିକ ତଥା ସ୍ବେଛାସେବୀ କୈଳାସ ନାୟକଙ୍କର ଗୁରୁବାର ଭୋର ସମୟରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହେଲା। ସେ ଡେଙ୍ଗୁ ଆକ୍ରାନ୍ତ ହୋଇ କିଛିଦିନ ହେଲା ସେଠାରେ ଚିକିତ୍ସିତ ହେଉଥିଲେ। ଉଦ୍‌ବେଗର ବିଷୟ, ତାଙ୍କ ମା’ ମଧ୍ୟ ଡେଙ୍ଗୁର ଶୀକାର ହେବାରୁ ତାଙ୍କୁ ବିଶାଖାପାଟଣାରେ ଚିକିତ୍ସା କରାଯାଉଥିଲା। କିନ୍ତୁ ଏମାନେ ଡେଙ୍ଗୁ ରୋଗୀ ବୋଲି ସରକାରୀ ଖାତାରେ ହିସାବ ନାହିଁ। ଏମିତି ଜିଲ୍ଲାରୁ ଏବେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସ୍ଥିତି ଧୀରେ ଧୀରେ ବିଗିଡିବାକୁ ଲାଗିଥିଲାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ହିସାବ ଅନୁସାରେ, ଜିଲ୍ଲାରୁ ମାତ୍ର ୧୩ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି।

କିଛି ବର୍ଷ ହେଲା କୋରାପୁଟ ଜିଲ୍ଲାରୁ ନିୟମିତ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ ଏ ବର୍ଷ ଏହି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। କରୋନା ଭୟରେ ଲୋକମାନେ ଜ୍ୱର ହେଲେ ଡାକ୍ତରଖାନା ନ ଯାଇ ବାହାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବାବେଳେ ବାହାରେ ନମୁନା ବି ପରୀକ୍ଷା କରାଉଛନ୍ତି। ଏମିତିରେ ପରୀକ୍ଷା ପରେ କୋରାପୁଟ ଜିଲ୍ଲାରୁ ଅନେକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଡେଙ୍ଗୁ ବୋଲି ଜଣାପଡିବା ପରେ କିଛି ଲୋକ ଘରୋଇ କ୍ଲିନିକରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲାବେଳେ ଆଉ କିଛି ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି। ଆଉ କିଛି ଲୋକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସରକାରୀ ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୭୮ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ ଜଣ ଡେଙ୍ଗୁ ପଜିଟିଭ ରହିଛି। ସେମାନଙ୍କ ଭିତରୁ କିଛି ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଥିଲାବେଳେ ଆଉ କିଛି ରୋଗୀଙ୍କୁ ବ୍ରହ୍ମପୁର ପଠାଯାଇଛି। ଏଠାରେ ପ୍ଲେଟଲେଟ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ରୋଗୀଙ୍କୁ ବ୍ରହ୍ମପୁର ପଠାଯାଉଥିବା ଜଣାପଡିଛି। କୋରାପୁଟ ହସପିଟାଲର ଭେଷଜ ପୁରୁଷ ଓାର୍ଡରେ ଏବେ ୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି।

KayaWell

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏଲିସା ମେସିନରେ ଡେଙ୍ଗୁ ପରୀକ୍ଷା କରାଯାଉଛି। କିନ୍ତୁ ଲୋକମାନେ ବେସରକାରୀ କ୍ଲିନିକରେ କିଟ୍ ଜରିଆରେ ଡେଙ୍ଗୁ ପରୀକ୍ଷା କରାଉଛନ୍ତି। ଏହାର ରିପୋର୍ଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ନ ଥିବା ଜଣାପଡିଛି। ରାଜ୍ୟ ସରକାର ବେସରକାରୀ ଡେଙ୍ଗୁ ପରୀକ୍ଷାକୁ ଗ୍ରହଣ କରୁ ନ ଥିବାରୁ ଏବେ ବି ୧୩ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଜିଲ୍ଲାରୁ ୧୪୯ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୨୧ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ୨୦୧୮ ମସିହାରେ ୨୭୫ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୧୭ ପଜିଟିଭ ଓ ୨୦୧୭ ମସିହାରେ ୪୩ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୩ ଜଣ ପଜିଟିଭ ଥିଲେ। ୨୦୧୬ ମସିହାରେ ୨୪ ଜଣଙ୍କର ପରୀକ୍ଷା କରାଯାଇଥିଲା କିନ୍ତୁ କାହାରି ପଜିଟିଭ ବାହାରି ନ ଥିଲା। ସେହିପରି ୨୦୧୫ ମସିହାରେ ୩୨ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସମସ୍ତେ ଡେଙ୍ଗୁ ନେଗେଟିଭ ରହିଥିଲେ। ତେବେ ୨୦୧୪ ମସିହାରେ ୮୧ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୫ ଜଣ ପଜିଟିଭ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁତ୍ରରୁ ଜଣାପଡିଛି।

କୋରାପୁଟରେ ଡେଙ୍ଗୁ ରୋଗୀ ବଢୁଥିବା କୁହାଯାଉଥିଲେ ମଧ୍ୟ ଏହା ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା। ସେ କହିଛନ୍ତି ଯେ, ଜିଲ୍ଲାରେ ଏ ପର୍ଯ୍ୟନ୍ତ ମାତ୍ର ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ ଡେଙ୍ଗୁ ବ୍ୟାପିବା ଋତୁ ଏବେ ପାର ହେବାକୁ ବସିଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର ନାହିଁ। ଜୟପୁର ଡାକ୍ତରଖାନାରେ କେହି ଡେଙ୍ଗୁ ରୋଗୀ ନ ଥିଲାବେଳେ କୋରାପୁଟ ମେଡିକାଲ କଲେଜରେ ମାତ୍ର ୩ ଜଣ ରୋଗୀ ଥିବା ସେ କହିଛନ୍ତି। ଅପରପକ୍ଷରେ କୋରାପୁଟ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ ଚିକିତ୍ସା ଆରମ୍ଭ କରିବାକୁ ବିଭିନ୍ନ ମହଲରେ ଦାବି ହେବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ସରକାର। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ସମ୍ବାଦରେ ଏଥିନେଇ ପ୍ରକାଶିତ ରିପୋର୍ଟକୁ ଟ୍ବିଟ କରିବା ପରେ ସରକାର ଓ ପ୍ରଶାସନିକ ମହଲରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। କୋରାପୁଟ ମେଡିକାଲ କଲେଜରେ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବଶୀଘ୍ର ପ୍ଲେଟଲେଟ ଚିକିତ୍ସା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର