ଦଳରେ ମାଳମାଳ ଅସନ୍ତୁଷ୍ଟ: ରମେଶ କୋଣଠେସା

ପତିତପାବନ ସାହୁ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ଅସନ୍ତୁଷ୍ଟ ନେତାଙ୍କ ତାଲିକା ଲମ୍ବିବାରେ ଲାଗିଛି। ଯାହା ଦଳକୁ ନିୟନ୍ତ୍ରଣ କରୁଥିବା ଆଗଧାଡ଼ିର ନେତୃବୃନ୍ଦଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଦଳରେ ମାଳମାଳ ଆଶାୟୀ ଥିବା ବେଳେ ଅଧା ଡଜନ୍‌ରୁ ଅଧିକ ନେତା ଟିକଟ ଦୌଡ଼ରେ ଅଛନ୍ତି। କାହାକୁ ଟିକଟ ଦିଆଯିବ, କାହାର କାଟିବ ତାକୁ ନେଇ ଏପ୍ରକାର ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଅନୁଗୁଳ ଓ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଏମିତି ସ୍ଥିତି ଏବେ ବିଜେଡିକୁ ଜଟିଳ ପରିସ୍ଥିତିକୁ ଠେଲି ଦେଇଛି। ଦିନ ଯେତିକି ବଢ଼ୁଛି ଆଶାୟୀଙ୍କ ସଂଖ୍ୟା ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଏହି ଅସନ୍ତୁଷ୍ଟ ନେତା ଦଳ ପାଇଁ ଘାତକ ସାଜିବାର ଆଶଙ୍କା ଜଳଜଳ ଦିଶିଗଲାଣି।

ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ୫ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଏବେ ବିଜେଡିର ବିଧାୟକ ଅଛନ୍ତି। ଏହି ସମସ୍ତ ବିଧାୟକଙ୍କ ଉପ‌ରେ ଦଳ ପୁଣି ଭରସା କରିବ ତାହା ନିଶ୍ଚିତ ନୁହେଁ। ଏ ଭିତରେ ନୂଆ ଚେହେରାକୁ ସୁଯୋଗ ଦେବା ପାଇଁ ଦଳ ବିଚାର କରିଥିବା ଖୋଦ୍‌ ଦଳୀୟ ନେତାମାନେ କହୁଛନ୍ତି। ଏହାକୁ ନେଇ ଆଶାୟୀ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏପରିକି କିଛି ବିଧାନସଭା କ୍ଷେତ୍ରରେ ଖୋଲାଖୋଲି ଆଶାୟୀ ପ୍ରଚାର ଆରମ୍ଭ କରିଦେଲେଣି।
ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ତ ଏବେ ବିଧାୟକ ରମେଶ ସାଏଙ୍କୁ କେହି ପଚାରୁ ନାହାନ୍ତି। ଏଠାରେ ଦଳର ସଂଗଠନ ଏବେ ନଳିନୀ ପ୍ରଧାନଙ୍କ ହାତରେ। ନଳିନୀ ଟିକେଟ୍ ପାଇବେ ବୋଲି ତାଙ୍କ ସମର୍ଥକମାନେ ନିଶ୍ଚିତ ହୋଇଯାଇଛନ୍ତି। ନଳିନୀ ମଧ୍ୟ ଅଞ୍ଚଳରେ ବୁଲିବା ସହ ଦଳୀୟ କାମରେ ଲାଗିପଡ଼ିଛନ୍ତି। ବିଧାୟକ କିନ୍ତୁ ଆଶା ହରାଇ ନାହାନ୍ତି। ତାଙ୍କ ସମର୍ଥକଙ୍କୁ ନେଇ ନିଜ ପାଇଁ ଲବି ଚଳାଇଛନ୍ତି। ଗତଥର ରେକର୍ଡ ଭୋଟ୍‌ରେ ଜିତିଥିବାରୁ ଏବଂ ଲୋକମାନେ ତାଙ୍କୁ ଭଲପାଉଥିବାରୁ ସେ ପୁଣି ଲଢ଼ିବେ ବୋଲି କହୁଛନ୍ତି। ଏପଟେ ଦଳରୁ ଅର୍ଜୁନ ସାହୁ ଓ ପ୍ରକାଶ ଡାଙ୍ଗ ପରି ଯୁବନେତାଙ୍କ ସହ ଭେଟେରାନ ଚିତ୍ତରଂଜନ କର୍ଣ୍ଣ ଟିକେଟ୍‌ ଆଶାରେ ଅଛନ୍ତି। ଏପରିକି ଟିକେଟ ନ ମିଳିଲେ କିଛି ଓଲଟପାଲଟ କରିବାକୁ ଯୋଜନା ବି ହେଲାଣି। ଆଠମଲ୍ଲିକରେ ବିଜେଡି ବହୁ ଫାଳରେ ବିଭକ୍ତ ହୋଇଯାଇଛି। ଏଠାରେ ସମସ୍ତଙ୍କୁ ଏକାଠି କରି ନିର୍ବାଚନକୁ ଓହ୍ଲାଇବା ବିଜେଡି ପାଇଁ କାଠିକର ପାଠ ହେବ।

ଅନ୍ୟପଟେ ଅନୁଗୁଳ ବିଜେଡି ଗଣିତ ଦିନକୁ ଦିନ ଗୋଳମାଳିଆ ହେବାରେ ଲାଗିଛି। ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରଜନୀକାନ୍ତ ସିଂହ ୪ ଥର ହେଲା ବିଧାୟକ ଭାବେ ଜିତିଛନ୍ତି। ଏଥର ତାଙ୍କ ବଦଳରେ ପୁଅ ଅରୁଣାଭ ସିଂହ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ହେଲା ସଂଗଠନ ତାଙ୍କ ପାଖରେ ରହିଥିବାରୁ ସିଂହ ପରିବାରରୁ ଟିକେଟ୍‌ ଯିବାର ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ହେଲେ ଗୋଟିଏ ପରିବାର ଭିତରେ ଦୀର୍ଘ ବର୍ଷ ଧରି କ୍ଷମତା ରହିଥିବାରୁ ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କୁ ବିରୋଧ କରୁଛନ୍ତି। ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ ତ ଏ ଭିତ‌ରେ ଗାଁ ଗାଁ ବୁଲି ନିଜ ପାଇଁ ପ୍ରଚାର ଆରମ୍ଭ କରିଦେଲେଣି। ତାଙ୍କୁ ଟିକେଟ ମିଳିବା ନେଇ ଉପରୁ ପ୍ରତିଶ୍ରୁତି ମିଳିଥିବା କିଛି ଛାମୁଆ ନେତା ଜୋର ଦେଇ କହୁଛନ୍ତି। ଏପଟେ ଜିଲ୍ଲାର ଜଣେ ଉଦ୍ୟୋଗପତି ବିଜେଡି ଟିକେଟ୍‌ ଆଶାରେ ଅଛନ୍ତି। ଅନୁଗୁଳ ନିର୍ବାଚନମଣ୍ଡଳୀ ସାରା ସେ ସବୁଜ ବ୍ୟାନର୍‌ ଲଗାଇ ସାରିଲେଣି। ତାଙ୍କର ଆଇଏଏସ୍‌ ଲବି ଭଲ ଥିବାରୁ ତୃତୀୟ ମହଲାରୁ କୁଆଡ଼େ ତାଙ୍କୁ ସବୁଜ ସଙ୍କେତ ମିଳିଛି ବୋଲି ସୂଚନା ଦେଉଛନ୍ତି। ଏପଟେ ପୁରୁଣା ନେତା ଶକ୍ତି ପଟ୍ଟନାୟକ ଓ ଭକ୍ତିପ୍ରସାଦ ଦାସ ବି ସୁଯୋଗ ଅପେକ୍ଷାରେ ଅଛନ୍ତି। ଏଣୁ ଅନୁଗୁଳ ନିର୍ବାଚନମଣ୍ଡଳୀରେ ଯିଏ ବି ଟିକେଟ୍ ପାଇଲେ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର