ଆଗଧାଡ଼ିର ଯୋଦ୍ଧାଙ୍କ ସଂଖ୍ୟା ୨ଲକ୍ଷ ଛୁଇଁଲା

ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାରେ ପଛରେ ପଡ଼ିଛି କଟକ ଜିଲ୍ଲା, ଦିନକରେ ୮୭% ଟିକାକରଣ

ଭୁବନେଶ୍ବର : କରୋନା ଟିକାକରଣ ପାଇଁ ରାଜ୍ୟରେ ଆଗଧାଡ଼ିର ପଞ୍ଜୀକୃତ ଯୋଦ୍ଧାଙ୍କ ସଂଖ୍ୟା ୨ଲକ୍ଷ ଛୁଇଁଛି। କିଛି ଦିନ ଭିତରେ ପୂର୍ବ ସଂଖ୍ୟାରେ ଆହୁରି ୮ହଜାର ଯୋଦ୍ଧା ଯୋଡ଼ି ହୋଇଛନ୍ତି। ତେବେ ଏହି ଆଗଧାଡ଼ିର କୌଣସି ଯୋଦ୍ଧା ‌ଯେପରି ଟିକାକରଣରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ପଞ୍ଜୀକରଣର ଶେଷ ତାରିଖ ଫେବ୍ରୁଆରି ୧୦କୁ ବଢ଼ାଇ ଦିଆଯାଇଛି। ତେଣୁ ଏହି ସଂଖ୍ୟା ଆହୁରି ଅଧିକ ବଢ଼ିବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଆଜି ୮୭ ପ୍ରତିଶତ ଟିକାକରଣ ହୋଇଛି। ସମୁଦାୟ ୪୧୨ଟି ଅଧିବେଶନରେ ୪୫,୩୫୧ଜଣ ବ୍ୟକ୍ତିଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୩୯,୪୦୨ଜଣ ଟିକା ନେଇଛନ୍ତି। ୧୩ଟି ଜିଲ୍ଲା‌‌ରେ ଶତପ୍ରତିଶତ ଟିକାକରଣ ହୋଇଛି। କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୬୦ ପ୍ରତିଶତ ଟିକାକରଣ ହୋଇପାରିଛି। ନୂଆପଡ଼ାରେ କୌଣସି ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇ ନଥିଲା। ରାୟଗଡ଼ା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬୪ହଜାର ୬୪ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୫୧,୬୬୧ ଆଗଧାଡ଼ିର ଯୋଦ୍ଧା ରହିଛନ୍ତି। ପଞ୍ଜୀକୃତ ହୋଇଥିବା ୭୮ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି। କଟକ ଜିଲ୍ଲାରେ ଟିକାକରଣ ଆଶାଜନକ ହେଉ ନଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଟିକା ନେଉ ନଥିବା ବ୍ୟକ୍ତିଙ୍କ ଦରମା ବନ୍ଦ ଭଳି ବିବାଦୀୟ ନିଷ୍ପତ୍ତି ଗ୍ରହଣ କରିବାକୁ ପଛାଇ ନଥିଲା ଜିଲ୍ଲା ପ୍ରଶାସନ। ତେବେ ପରବର୍ତୀ ସମୟରେ ଏହି ନିଷ୍ପତ୍ତିରୁ ପ୍ରଶାସନ ଓହରି ଯାଇଥିଲା। ରାଜ୍ୟର ସବୁ ଜିଲ୍ଲାରେ ୭୦ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବେଳେ କଟକରେ କେବଳ ୬୦ପ୍ରତିଶତ ଟିକାକରଣ ହୋଇପାରିଛି। ସମ୍ବଲପୁରରେ ସର୍ବାଧିକ ୮୮ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର