ଭୁବନେଶ୍ବର : କୋଭିଡ୍ରୁ ରକ୍ଷା ପାଇଁ ହାତ ଧୁଅନ୍ତୁ। ଘରେ, ବାହାରେ, ଫୋନ୍ରେ ଏବଂ ଟେଲିଭିଜନ୍ ଓ ଖବରକାଗଜରେ ବିଜ୍ଞାପନ ଦେଇ ହାତ ଧୋଇବାକୁ ଏତେ କୁହାଗଲା ଯେ ବର୍ତ୍ତମାନ କେତେକଙ୍କ କ୍ଷେତ୍ରରେ ହାତଧୁଆ ଏକ ମାନସିକ ରୋଗରେ ପରିଣିତ ହୋଇଛି। ଚିନ୍ତାର ବିଷୟ ହେଲା ଏଭଳି ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି। ୫ ବର୍ଷର ଶିଶୁଠୁ ନେଇ ବୟସ୍କ ପର୍ଯ୍ୟନ୍ତ ଏଭଳି ରୋଗୀ ନିୟମିତ ଏମ୍ସ ମନସ୍ତତ୍ବ ବିଭାଗକୁ ଆସୁଛନ୍ତି।
ଏମ୍ସ ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର କହିଛନ୍ତି, ଜଣେ ବ୍ୟକ୍ତି ବାରମ୍ବାର ହାତ, ଗୋଡ଼ କିମ୍ବା ଘର ଧୋଇବା ଏକ ମାନସିକ ରୋଗ। କୋଭିଡ ସମୟରେ ଲୋକଙ୍କୁ ହାତ ଧୋଇବାକୁ ଏଭଳି ଧୋଇବାକୁ କୁହାଗଲା ଯେ ଏହା ଲୋକଙ୍କ ହାତ ଧୋଇବା ଅଭ୍ୟାସକୁ ବଢ଼ାଇଦେଲା। ଏବେ ୫ ବର୍ଷର ପିଲାମାନେ ବି ଏବେ ଏଭଳି ଲକ୍ଷଣ ନେଇ ଆସୁଛନ୍ତି। ଏପରିକି ସେମାନଙ୍କ ମନରେ ବସା ବାନ୍ଧିଛି, କୌଣସି ସ୍ଥାନରେ କିଛି ଛୁଇଁ ଦେଲେ ମଧ୍ୟ କରୋନା ହୋଇଯିବ। ପୂର୍ବରୁ ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କ ରୋଗ ଜଟିଳ ହୋଇଛି। କିନ୍ତୁ ଯେଉଁମାନଙ୍କର ଆଦୌ ଏଭଳି ଲକ୍ଷଣ ନଥିଲା, ସେମାନଙ୍କ କ୍ଷେତ୍ରରେ ବି ଏହା ବଢିଛି। କରୋନାରେ ପୀଡ଼ିତ ବ୍ୟକ୍ତି ଏକୁଟିଆ ରହିବା ପରେ ଏହି ହାତଧୁଆ ଲକ୍ଷଣ ଦେଖା ଦେଉଛି ବୋଲି ଡା.ମହାପାତ୍ର କହିଛନ୍ତି।