ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ଟପିଲା

୧୮ବର୍ଷରୁ କମ୍ ଆଉ ୧୧୯ ପିଲା ସଂକ୍ରମିତ, ଖୋର୍ଧାରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ

ଭୁବନେଶ୍ବର : ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ଟପିଛି। ଏଥିରେ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀ ରହିଛନ୍ତି। ଆଜି ରାଜ୍ୟରେ ୬୮୯ ଚିକିତ୍ସାଧୀନ ‌ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୫୪୮ରେ ପହଞ୍ଚିଛି। ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି। ଏବେ ରାଜ୍ୟରେ ୬୩୯୮ ଚିକିତ୍ସାଧୀନ ରୋଗୀ ଥିବା ବେଳେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୫୩୪ ଚିକିତ୍ସାଧୀନ ରୋଗୀ ଅଛନ୍ତି। କନ୍ଧମାଳରେ ଏବେ ସର୍ବନିମ୍ନ ୬ଜଣ ରୋଗୀ ରହିଛନ୍ତି।

ରାଜ୍ୟରେ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ଲଗାତାର ଭାବେ ଶହେ ଉପରେ ଜାରି ରହିଛି। ଗତ ୨୪ଘଣ୍ଟାରେ ୭୪୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୯ଜଣ ୧୮ବର୍ଷରୁ କମ୍ ବୟସର ପିଲା ଚିହ୍ନଟ ହୋଇଛନ୍ତି। ପିଲାଙ୍କ ପାଇଁ କୌଣସି ଟିକା ଆସି ନ ଥିବାରୁ କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଖୋର୍ଧାରୁ ସର୍ବାଧିକ ୨୯୭, କଟକ ୧୨୦, ବାଲେଶ୍ବର-ମୟୂରଭଞ୍ଜରେ ୩୨ ଲେଖାଏ, ଯାଜପୁର ୨୭, ସୁନ୍ଦରଗଡ଼ ୨୪, ଜଗତସିଂହପୁର ୧୮, ବରଗଡ଼ ୧୧, ଅନୁଗୁଳ ୧୦ ଓ ଷ୍ଟେଟ୍‌ ପୁଲ୍‌ରୁ ୭୨ଜଣଙ୍କୁ ଚିହ୍ନଟ କରାଯାଇଛି। ୫ ଜିଲ୍ଲାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୫ହଜାର ୮୩କୁ ବୃଦ୍ଧି ପାଇଛି। କରୋନାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୪୭୪ଜଣଙ୍କ ଏ ପର୍ଯ୍ୟନ୍ତ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର