ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୬ ହଜାରରୁ ଖସୁନି

ଭୁବନେଶ୍ବର : ରାଜ୍ୟରେ ଲଗାତର ଚତୁର୍ଥ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬,୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ତିନି ଦିନ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ କମ୍ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ ଜଣ ସଙ୍ଗରୋଧରେ ଥିଲା ବେଳେ ୨୫୭୦ଟି ହେଉଛି ସ୍ଥାନୀୟ ମାମଲା।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ ଚିହ୍ନଟ ହୋଇଥିବା ବେଳେ ତାଲିକାର ଦ୍ବିତୀୟ ସୁନ୍ଦରଗଡ଼(୭୮୫) ଓ ତୃତୀୟରେ ନୂଆପଡ଼ା(୪୩୦) ରହିଛି। କେବଳ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ସୋନପୁରରେ ସଂକ୍ରମଣ ୧୦୦ ତଳକୁ ରହିଛି। ସୋନପୁର ଓ ଢେଙ୍କାନାଳରେ ସର୍ବନିମ୍ନ ୮ ଜଣ ଲେଖାଏ ସଂକ୍ରମିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କରୋନାରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୬୪ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୧ ଜଣ ବ୍ୟକ୍ତି ସୁସ୍ଥ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୫୨୬ ଓ ନୂଆପଡ଼ାରୁ ୩୪୦ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧ‌ା ରାଜ୍ୟରେ ମୋଟ୍‌ ୪,୦୭,୪୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩,୬୨,୯୩୧। ଏହା ବାଦ୍ ୧୯୮୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର