ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୫୭୮ ପଜିଟିଭ୍, ୬୮ ମୃତ

ଅଗଷ୍ଟ ଶେଷ ଯାଏ ଜାରି ରହିବ ୭୦ ହଜାର ନମୁନା ପରୀକ୍ଷା

ସ୍ବାଧୀନତା ଦିବସରେ ଉଦ୍‌ଘାଟିତ ହେବ ୧୬ ଆର୍‌ଟି-ପିସିଆର୍‌ ଲାବ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମି ଆସିଲାଣି। ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହା ନିୟନ୍ତ୍ରଣରେ ରହିଛି। ଏହା ସତ୍ତ୍ବେ ରାଜ୍ୟ ସରକାର ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଦୈନିକ ୭୦ ହଜାର ନମୁନା ପରୀକ୍ଷା ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥନା ଅନୁସାରେ, ରାଜ୍ୟରେ ଏବେ ଦୈନିକ ୭୦ ହଜାରରୁ ଅଧିକ ପରୀକ୍ଷା ହେଉଥିବା ବେଳେ ଏଥିରେ ପ୍ରାୟ ୭୦ ପ୍ରତିଶତ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ରହିଛି। ବଳକା ୩୦ ପ୍ରତିଶତ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଉଛି। ଏହାସହ ରାଜ୍ୟରେ ଏବେ କୋଭିଡ୍‌ ପରୀକ୍ଷା କିଟ୍‌ର କୌଣସି ଅଭାବ ନାହିଁ। ଯେହେତୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଏହି ନମୁନା ପରୀକ୍ଷା ଧାରା ଜାରି ରହିବ, ସେଥିଲାଗି କିଟ୍‌ର ଯେପରି ଅଭାବ ନ ହୁଏ, ତାହାର ବନ୍ଦୋବସ୍ତ କରିବା ଲାଗି ରାଜ୍ୟ ଔଷଧ ନିଗମକୁ କୁହାଯାଇଛି।

ଆସନ୍ତା ସ୍ବାଧୀନତା ଦିବସରେ ରାଜ୍ୟରେ ୧୬ଟି ଆର୍‌ଟି-ପିସିଆର୍‌ ଲ୍ୟାବ୍‌ ଉଦ୍‌ଘାଟିତ ହେବ। ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଆର୍‌ଟି-ପିସିଆର୍‌ ନମୁନା ସଂଖ୍ୟା ବଢ଼ାଇବା ଲାଗି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଏବେ ସରକାରୀ ଓ ଘରୋଇକୁ ମିଶାଇ ୧୬ରୁ ଅଧିକ ଆର୍‌ଟି-ପିସିଆର ଲ୍ୟାବ୍ କାର୍ଯ୍ୟ କରୁଛି। ପ୍ରତ୍ୟେକ ଜିଲ୍ଲାରେ ଆର୍‌ଟି-ପିସିଆର ଲ୍ୟାବ୍ କାର୍ଯ୍ୟକାରୀ ହେଲେ ସେହି ଜିଲ୍ଲାର ନମୁନା ଅନ୍ୟ ଜିଲ୍ଲାକୁ ପଠାଇବାକୁ ପଡ଼ିବ ନାହିଁ।

ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୨.୧୮ ପ୍ରତିଶତ ରହିଛି। ମାତ୍ର ଉପକୂଳ ଓଡ଼ିଶାରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ପୂର୍ବଭଳି ଅଧିକ ରହିଥିବା ଦେଖିବାକୁ ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୨୧୨, ଜଗତସିଂହପୁର ୧୧୩, ପୁରୀ ୧୦୯, ବାଲେଶ୍ବର ୭୮, ଯାଜପୁର ୭୭, ନୟାଗଡ଼ ୫୩, ଭଦ୍ରକ ୫୨, କେନ୍ଦ୍ରାପଡ଼ା ୫୧ ଓ ‌ଷ୍ଟେଟ୍‌ ପୁଲରୁ ୯୨ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୬୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସର୍ବାଧିକ ମୃତ୍ୟୁ ଅନୁଗୁଳରୁ ୮, ଗଞ୍ଜାମ ଓ ଖୋର୍ଧାରୁ ୭ ଲେଖାଏଁ, ପୁରୀ ଓ ବାଲେଶ୍ବରରୁ ୫ ଲେଖାଏଁ, କଟକ ଓ ମୟୂରଭଞ୍ଜରୁ ୪ ଲେଖାଏଁ, ନୟାଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ବରଗଡ଼ରୁ ୩ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ୨ ଲେଖାଏଁ ଏବଂ କନ୍ଧମାଳ, ଯାଜପୁର, ବୌଦ୍ଧରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୦୨‌‌ରେ ପହଞ୍ଚିଛି।

ରାଜ୍ୟରେ ଶନିବାର ୧୮୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯ଲକ୍ଷ ୫୬ହଜାର ୮୨୮ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏ‌ବେ ୧୪,୪୮୫ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର