ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଭିମ୍‌ସାର)ର ନେଫ୍ରୋଲୋଜି ବିଭାଗରେ ୨୦୨୪ ମସିହାରେ ଓପିଡିରେ ପ୍ରାୟ ୧୧ ହଜାର ଓ ଆଇପିଡିରେ ୧୩୦୦ ରୋଗୀ ଚିକିତ୍ସିତ ହୋଇଥିଲେ। ଏହି ବିଭାଗରେ ଡାଏଲିସିସ୍‌ ହୋଇଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୪୪୦୦। ଚିକିତ୍ସାଧୀନ ବେଳେ ୪୮ ଜଣ କିଡ୍‌ନି ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରକାଶଥାଉ କି, ୨୦୧୪ ମସିହାରେ ଡାଏଲିସିସ୍‌ ହୋଇଥିବା କିଡ୍‌ନି ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ୧୬୦୦ । ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ଭିମ୍‌ସାରରେ ଡାଏଲିସିସ୍‌ ହୋଇଥିବା ରୋଗୀଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି। ପ୍ରତି ଜିଲ୍ଲାରେ ଡାଏଲିସିସ ପାଇଁ ସ୍ବତନ୍ତ୍ର ୟୁନିଟ୍‌ ଥିବା ସତ୍ତ୍ବେ ଭିମ୍‌ସାର ଉପରେ ଭାର କମିବା ପରିବର୍ତ୍ତେ ଆହୁରି ବଢ଼ିଛି। ପଶ୍ଚିମ ଓଡ଼ିଶା ସହିତ ଛତିଶଗଡ଼ ରୋଗୀ ଭିମ୍‌ସାର ଉପରେ ନିର୍ଭର କରିଥାଆନ୍ତି। କିଛି ବର୍ଷ ମଧ୍ୟରେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଯେଉଁଭଳି କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଭିମ୍‌ସାରର ଏହି ପରିସଂଖ୍ୟନ ତାର ଉଦାହରଣ। ଏଣେ ଭିମ୍‌ସାରକୁ ଯେତେ ସଂଖ୍ୟାରେ ରୋଗୀ ଆସୁଛନ୍ତି ସେମାନଙ୍କ ପାଇଁ ଥିବା ଶଯ୍ୟା ଠାରୁ ଡାଏଲିସିସ ମେସିନ ପର୍ଯ୍ୟାପ୍ତ ନୁହେଁ। ଶଯ୍ୟା ଅଭାବରୁ ରୋଗୀ ତଳେ ଶୋଉଛନ୍ତି ତ ଡାଏଲିସିସ କରାଯାଇନପାରି ଜୀବନ ଯାଉଛି। ଏହା ସତ୍ତ୍ବେ ସମସ୍ତ ପ୍ରକାର ସୁବିଧା ଥିବା ଭିମସାରର ସୁପରସ୍ପେସାଲିଟି ବିଭାଗ କାହିଁକି କାର୍ଯ୍ୟକ୍ଷମ କରାଯାଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

Advertisment

ମେସିନ୍‌ ଥାଇ ବି ଡାଏଲିସିସ୍‌ ନହୋଇ ଯାଉଛି ଜୀବନ
୧୦ ବର୍ଷରେ ଡାଏଲିସିସ୍‌ ସଂଖ୍ୟା ପ୍ରାୟ ୩ ଗୁଣ 
ଉଦ୍‌ଘାଟନରେ ଅଟକିଛି ସୁପରସ୍ପେସାଲିଟି ଡାକ୍ତରଖାନା 

ଆଜି ଭିମ୍‌ସାର ନେଫ୍ରୋଲୋଜି ବିଭାଗରେ ସଂଘଟିତ ଏକ ଅଭାବନୀୟ ଘଟଣା ରୋଗୀସେବାରେ ଅବହେଳାକୁ ଉଦାହରଣ ଭାବେ ନିଆଯାଇ ପରେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନେଫ୍ରୋଲୋଜି ବିଭାଗକୁ କୁଚିଣ୍ଡାର ଜଣେ ରୋଗୀ (୨୫ ବର୍ଷ) ଅତି ଗୁରୁତର ଅବସ୍ଥାରେ ଆସିଥିଲେ। ତାଙ୍କୁ ତୁରନ୍ତ ଡାଏଲିସିସ ଆବଶ୍ୟକତା ଥିବା କହି ଡାଏଲିସିସ୍‌ ୟୁନିଟ୍‌କୁ ପ୍ରସ୍ତୁତ ରହିବାକୁ କହିଲେ ଡାକ୍ତର। ମାତ୍ର ଠିକ୍‌ ସେହି ସମୟରେ ବିଭାଗରେ ଥିବା ୫ଟି ଯାକ ୟୁନିଟ୍‌ରେ ସମାନ ଭାବରେ ଗୁରୁତର ସ୍ଥିତିରେ ଥିବା ରୋଗୀଙ୍କ ଡାଏଲିସିସ୍‌ ଚାଲିଥିଲା। ତେଣୁ ବାଧ୍ୟ ହୋଇ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଏହି ରୋଗୀ ଡାଏଲିସିସ ପାଇଁ ଅପେକ୍ଷା କରି ରହିଲେ। ପ୍ରାୟ ଅଧଘଣ୍ଟା ପରେ ରୋଗୀଙ୍କ ଡାଏଲିସିସ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କଲାବେଳକୁ ହୃଦ୍‌ଘାତରେ ତାଙ୍କର ଜୀବନ ଚାଲି ଯାଇଥିଲା। ଦୁର୍ଭାଗ୍ୟର କଥା ହେଲା, ନେଫ୍ରୋଲୋଜି ବିଭାଗ ନିକଟରେ ଥିବା ସୁପରସ୍ପେସାଲିଟି ଡାକ୍ତରଖାନାର ନେଫ୍ରୋଲୋଜି ବିଭାଗରେ ୧୨ଟି ଡାଏଲିସିସ୍‌ ମେସିନ୍‌ ଥାଇ ମଧ୍ୟ ସଂପୃକ୍ତ ରୋଗୀଙ୍କ କାମରେ ଆସିଲା ନାହିଁ। ଅନେକ ଦିନ ହେଲା ସୁପରସ୍ପେସାଲିଟି ଡାକ୍ତରଖାନାର ନିର୍ମାଣ ସରିବା ସହିତ ଆବଶ୍ୟକ ମେସିନ୍‌ ବ୍ୟବସ୍ଥା ହୋଇ ସାରିଛି। ଅନ୍ୟ ସବୁ ବିଭାଗ ମଧ୍ୟରୁ ନେଫ୍ରୋଲୋଜି ବିଭାଗରେ ଚିକିତ୍ସା ପାଇଁ ସବୁ ସୁବିଧା ସରିଛି। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଉଦ୍‌ଘାଟନ ପାଇଁ ସବୁଜ ସଙ୍କେତ ମିଳୁନଥିବାରୁ ମେସିନ୍‌ଗୁଡ଼ିକ ଖତ ଖାଉଛି। ଏପରିକି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନେକ ଥର ଭିମସାର ଆସି ସ୍ଥିତି ସମୀକ୍ଷା କରିଥିଲେ ମଧ୍ୟ ସୁପରସ୍ପେସାଲିଟି ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ତେଣୁ ଅନେକ ରୋଗୀ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାମୁହାଁ ହେଉଛନ୍ତି। 

ଅଭିଯୋଗ ଅନୁଯାୟୀ, ଘରୋଇ ଡାକ୍ତରଖାନାରେ କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ସପ୍ତାହର ଗୋଟିଏ ଇଞ୍ଜେକସନ ପାଇଁ ୧୪ରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଭିମ୍‌ସାରରେ ଏହା ମାଗଣା କିମ୍ବା ନାମମାତ୍ର ଅର୍ଥରେ ହେଉଛି। ତେଣୁ ସୁପରସ୍ପେସାଲିଟି ଡାକ୍ତରଖାନାକୁ କାର୍ଯ୍ୟକ୍ଷମ ନ କରାଇବା ପାଇଁ ଘରୋଇ ଡାକ୍ତରଖାନାର ଏକ ପ୍ରକାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହେଉଛି। ଭିମ୍‌ସାର ଅଧୀକ୍ଷକ ଡା. ଲାଲମୋହନ ନାଏକ କହିଛନ୍ତି, ସୁପସ୍ପେସାଲିଟି ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ନେଫ୍ରୋଲୋଜି ରୋଗୀଙ୍କ କୌଣସି ସମସ୍ୟା ରହିବ ନାହିଁ। ଖୁବ୍‌ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ସୁପରସ୍ପେସାଲିଟି ଡାକ୍ତରଖାନାର କିଡ୍‌ନି ବିଭାଗ ପାଇଁ ୩୦ ଶଯ୍ୟା, ୧୨ ଡାଏଲିସିସ୍‌ ସହିତ ସେଣ୍ଟ୍ରାଲ ଅକ୍ସିଜେନ ଏବଂ ସୋନୋଗ୍ରାଫି ମେସିନ୍‌ ରହିଛି।