ମାଓ ସଂଗଠନରେ ସଦସ୍ୟଙ୍କ ସଂଖ୍ୟା କମୁଛି

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା : ମାଓ ସଂଗଠନରେ ସଦସ୍ୟଙ୍କ ସଂଖ୍ୟା କମୁଛି। ଘରକୁ ଯାଇ ଫେରୁନାହାନ୍ତି କ୍ୟାଡର୍। ଗ୍ରାମାଞ୍ଚଳରେ ଜନ ସମର୍ଥନ ମିଳୁନଥିବାରୁ ନିଯୁକ୍ତି ବି ହୋଇପାରୁନି। କମ୍‌ ସଦସ୍ୟଙ୍କୁ ନେଇ କଳାହାଣ୍ଡି-କନ୍ଧମାଳ-ରାୟଗଡ଼ା ଅଞ୍ଚଳ ବୁଲିବା ସମ୍ଭବ ହେଉନି। ବାରମ୍ବାର ପାହାଡ଼ ଚଢ଼ିବାକୁ ପଡୁଛି। ଶୋଇବା ତ ଦୂରର କଥା ପାଣି ଟୋପାଏ ମିଳିବା କଷ୍ଟକର ହେଉଛି। ପିନ୍ଧିବା ପାଇଁ ପୋଷାକ, ଜୋତା ମିଳୁନଥିବା ବେଳେ ଛତିଶଗଡ଼-ଆନ୍ଧ୍ର କ୍ୟାଡରଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଦୁର୍ବଳ ହେବାରେ ଲାଗିଛି କେକେବିଏନ୍, କଳାହାଣ୍ଡି ଏଲଓଏସ୍, ସୁନାବେଡା ଏରିଆ କମିଟି ଓ ବାଘୁନା ଡିଭିଜନ୍। ରାୟଗଡ଼ା ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିବା ପରେ ସଂଗଠନର ଏମିତି ଗୁମର ଖୋଲିଛନ୍ତି ଦୁଇ ଛତିଶଗଡ଼ କ୍ୟାଡର ହାର୍ଡକୋର୍ ମାଓବାଦୀ ମଙ୍କୁ ଓ ଲଛୁ।

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ
ରାୟଗଡ଼ା :ରାୟଗଡ଼ା ପୁଲିସ ନିକଟରେ ଆଜି ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ କ୍ୟାଡର ଦୁଇ ମାଓବାଦୀ ମଙ୍କୁ ଓୟାମ୍ ଓରଫ୍ ଜୟରାମ ଏବଂ ଲଛୁ ମାଡ଼କାମ ଓରଫ୍ ବିଶ୍ବନାଥ। ଉଭୟଙ୍କ ନାଁରେ ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ଜିଲ୍ଲାରେ ୧୩ଟି ଅପରାଧିକ ମାମଲା ରହିଛି। ମଙ୍କୁ ନାଁରେ ୪ ଲକ୍ଷ, ଲଛୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ଘୋଷଣା କରିଥିବା ଏସ୍‌ପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ରାୟଗଡ଼ା-କନ୍ଧମାଳ ସୀମାରେ ଏସ୍‌ଓଜି-ସିଆରପିଏଫ୍-ବିଏସଏଫ୍ ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଦୁଇ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୨୦୧୧ ମସିହାରେ ଛତିଶଗଡ଼ ବିଜାପୁର ଜିଲ୍ଲା କାରମାର୍କା ଗ୍ରାମର ମଙ୍କୁ ସିପିଆଇ ମାଓ ସଂଗଠନରେ ଯୋଗ ଦେଇଥିଲା। ସେହିପରି ବିଜାପୁର ଜିଲ୍ଲା ଆଡିସମେଟ୍ ଗ୍ରାମର ଲଛୁ ଏପ୍ରିଲ୍ ୨୦୧୫ରେ ମାଓ ସଂଗଠନରେ ଯୋଗ ଦେଇଥିଲା।

ସମ୍ବନ୍ଧିତ ଖବର