ଉତ୍ତର ଚିଲିକାରେ ବଢ଼ିବାରେ ଲାଗିଛି ବିଦେଶୀ ପକ୍ଷୀଙ୍କର ଭିଡ଼

ଗଡ଼ିଶାଗୋଦା : ଚିଲିକା ଏବେ ବିଦେଶାଗତ ପକ୍ଷୀମାନଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ମାସେ ବିଳମ୍ବରେ ଶୀତ ପହଞ୍ଚିଛି। ଏହା ସହିତ ତାଳ ଦେଇ ପକ୍ଷୀମାନେ ମଧ୍ୟ ବିଳମ୍ବରେ ପହଞ୍ଚିଛନ୍ତି। ଚିଲିକାକୁ ଘେରି ରହିଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମର ବିଭିନ୍ନ ବ୍ଲକ୍‌ ମଧ୍ୟରୁ କଣାସ ବ୍ଲକ୍‌ ଅନ୍ୟତମ। ଏବେ ସପ୍ତାହେ ହେଲା କଣାସ ବ୍ଲକ୍‌ ଦକ୍ଷିଣରେ ଥିବା ଉତ୍ତର ଚିଲିକା, ବଡ଼ଗୋଠ, ନଳବଣରେ ହଜାର ହଜାର ସଂଖ୍ୟକ ରଙ୍ଗବେରଙ୍ଗର ପକ୍ଷୀମାନଙ୍କୁ ଦେଖିବାକୁ ମିଳୁଛି। କାନକୁ ଶୁଣାଯାଉଛି ବହୁବିଧ ପକ୍ଷୀଙ୍କର କଳରବ। ରଞ୍ଜନାବଗ, ହଂସ, ହଂସରାଳି, କାମ, ବଉଳବେଣୀ, ପେଚିଆ, ତୁଳସୀଗେଣ୍ଡି, ରଙ୍ଗାଗେଣ୍ଡି, ମାଟିଆଗେଣ୍ଡି ଆଦି ବାରମାସୀ ଚଢ଼େଇଙ୍କ ସାଙ୍ଗକୁ ଏରା, ଗେଣ୍ଡାଳିଆ, ସୋଭଲର୍‌, ସ୍ୟାଣ୍ଡ ପାଇପର୍‌, ପିଣ୍ଟେଲ୍‌, ଗଡ୍‌ୱାଲ୍‌, ଗାର୍ଗନୀ, ଗସିବିସ୍ ଆଦି ୫୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କର ଭିଡ଼ ଚିଲିକାରେ ବଢ଼ିବାରେ ଲାଗିଛି।

ସୁଦୂର ସାଇବେରିଆ, କାଜାଖସ୍ଥାନ, ମଙ୍ଗୋଲିଆ, ଆମେରିକା, କାସ୍ପିଆନସାଗର, ବୈକାଲ ହ୍ରଦ ତଥା ବରଫାବୃତ ହିମାଳୟ ଓ ଲଦାଖ ଅଞ୍ଚଳରୁ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାରେ ପହଞ୍ଚିଥାନ୍ତି। ଜୈବ ବିବିଧତାରେ ଭରପୁର ଚିଲିକାର ନାତିଶୀତୋଷ୍ଣ ଜଳବାୟୁ ପକ୍ଷୀମାନଙ୍କ ପାଇଁ ଆରାମଦାୟକ ହୋଇଥିବା ବେଳେ ପ୍ରଚୁର ଖାଦ୍ୟ ମିଳୁଥିବାରୁ ଏଠାରେ ପକ୍ଷୀମାନେ ପ୍ରତିବର୍ଷ ଭିଡ଼ ଲଗାଇଥାନ୍ତି। ଉତ୍ତର ଚିଲିକାରେ ପକ୍ଷୀମାନେ ବଡ଼ଗୋଠ,ନଈମୁହଁ, କାଳିଆକୁଦା, ଜଗଦଳ, ବୁଢ଼ାକେରା, ଗୋପୀନାଥପୁର, ପାଇକମରାଠାରୁ ଦୋଛିଆଁ, ଆଳିପଡ଼ା, ଦେଇପୁର, ଭୂଷଣ୍ଡପୁର ଆଦି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଧାନ ଜମିରେ ଏହି ପକ୍ଷୀମାନେ ବିଚରଣ କରୁଛନ୍ତି। ଏପରିକି ପ୍ରତିଦିନ ଦିନବେଳା ଦଳଦଳ ହୋଇ ପକ୍ଷୀମାନେ ଉତ୍ତର ଦିଗରୁ ଚିଲିକା ଅଭିମୁଖେ ଯାଉଥିବା ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧିତ ଖବର