୮ ମାସ ପରେ ଚିକିତ୍ସାଧୀନଙ୍କ ସଂଖ୍ୟା ହଜାରେ ତଳେ

ନବରଙ୍ଗପୁରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ
୧୦ଲକ୍ଷ ଜନସଂଖ୍ୟାରେ ୪୧ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ବର : ୮ ମାସର କରୋନା ଲଢ଼େଇ ପରେ ଓଡ଼ିଶାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଜାରେ ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ ରାଜ୍ୟରେ ଚିକିତ୍ସାଧୀନଙ୍କ ସଂଖ୍ୟା ୯୪୬ ରହିଛି। ଗତବର୍ଷ ଜୁନ୍ ୨ତାରିଖ ପରେ ପ୍ରଥମଥର ଲାଗି ରାଜ୍ୟରେ ଏହି ସ୍ଥିତି ଦେଖିବାକୁ ମିଳିଛି।

ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ଶହେ ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟର ୧୮ଟି ଜିଲ୍ଲାରେ ୭୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୨ଟି ଜିଲ୍ଲାରେ କୌଣସି ଆକ୍ରାନ୍ତ ଦେଖିବାକୁ ମିଳିନାହାନ୍ତି। କେବଳ ସୁନ୍ଦରଗଡ଼ରେ ୧୧ଜଣ ଆକ୍ରାନ୍ତଙ୍କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଏହା ଏକ ଅଙ୍କରେ ସୀମିତ ରହିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୨୮୨କୁ ବୃଦ୍ଧି ପାଇଛି। ତେବେ ନବରଙ୍ଗପୁର ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। କେବଳ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ‌ଶହେ ତଳେ ରହିଛି।

ଅପରପକ୍ଷରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ଘରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪.୩କୁ ଖସି ଆସିଛି। ଗତବର୍ଷ ସେପ୍ଟେମ୍ବର ମାସରେ ଏହା ପ୍ରାୟ ୭ ପ୍ରତିଶତ ରହିଥିଲା। ରାଜ୍ୟରେ ଏ ଯାଏ ମୋଟ ୭୭ଲକ୍ଷ ୭୪ହଜାର ୪୭୭ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ୧ଲକ୍ଷ ଜନସଂଖ୍ୟାରେ ଓଡ଼ିଶାରେ ୧୭ହଜାର ୭୮୭ଜଣଙ୍କ ନମୁନା ପରୀକ୍ଷା କରାଯାଉଛି। ଓଡ଼ିଶାରେ ୨୩ଟି କୋଭିଡ୍‌ ନମୁନାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ରାଜ୍ୟରେ ଗତ ୯ଦିନ ହେବ କରୋନା ମୃତ୍ୟୁ ଦେଖିବାକୁ ମିଳିନାହିଁ। ଗତମାସ ୨୫ତାରିଖରେ ‌ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିଲେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯୦୬ଜଣ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟର କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୬ ପ୍ରତିଶତ ରହିଛି। ତେବେ ୧୦ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୪୧ଜଣ କରୋନାରେ ପ୍ରାଣ ହରାଉଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଯାହାକି ଜାତୀୟ ହାରଠାରୁ କମ୍ ରହିଛି। ତେଲେଙ୍ଗାନାରେ ମଧ୍ୟ ସମାନ ସଂଖ୍ୟକ ଆକ୍ରାନ୍ତ ପ୍ରାଣ ହରାଉଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଜାତୀୟସ୍ତରରେ ୧୦ଲକ୍ଷ ଜନସଂଖ୍ୟାରେ ୧୧୨ଜଣ କରୋନାରେ ପ୍ରାଣ ହରାଉଛନ୍ତି।

ସମ୍ବନ୍ଧିତ ଖବର