ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪% ହ୍ରାସ

ବାତ୍ୟାଠାରୁ କ୍ରମାଗତ ଭାବେ କମୁଛି ନମୁନା ପରୀକ୍ଷା
ଦିନକରେ ୭୧୮୮ ପଜିଟିଭ୍, ୩୫ ମୃତ

ଭୁବନେଶ୍ବର : ଚଳିତ ମାସ ୨୩ ତାରିଖ ଦିନ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୩୫କୁ ବୃଦ୍ଧି ପାଇଥିଲା। କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଓ ଏହା ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା କମ୍ ରହିଥିବାରୁ ରୋଗୀ ସଂଖ୍ୟା ବଢ଼ି ଚାଲିଥିଲା। ହେଲେ ବୃଦ୍ଧିରେ ରୋକ୍ ଲାଗିଛି। ବାତ୍ୟା ପ୍ରଭାବରେ ରାଜ୍ୟରେ ଯେତିକି ନମୁନା ପରୀକ୍ଷା ପୂର୍ବରୁ ହେଉଥିଲା, ତାହା ହୋଇପାରୁ ନାହିଁ। ପରିଣାମସ୍ବରୂପ, ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଓ ଅନ୍ୟପଟେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେବା କାରଣରୁ ମୋଟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୧୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ଶନିବାର ରାଜ୍ୟରେ ୧୧,୫୧୩ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ଏବେ ୮୫,୭୫୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୨,୨୯୮ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଅପରପକ୍ଷରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୫୮ହଜାର ୬୪୬କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୭.୭ ପ୍ରତିଶତରେ ପହଞ୍ଚି ଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮,୬୪୯ କୋଭିଡ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ଏକଦା ନମୁନା ପରୀକ୍ଷା ୭୦ ହଜାର ନିକଟତର ହୋଇଥିବା ବେଳେ ହଠାତ୍ ଏହା କମିଯିବା ପଛର କାରଣ ଜଣାପଡ଼ୁନାହିଁ। ବାତ୍ୟା ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ନମୁନା ପରୀକ୍ଷା ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ଅନ୍ୟ ଜିଲ୍ଲାରେ ମଧ୍ୟ ନମୁନା ସଂଗ୍ରହ ଉଲ୍ଲେଖନୀୟ ନ ଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ କନ୍ଧମାଳରେ କୌଣସି ଆରଟି-ପିସିଆର ନମୁନା ସଂଗ୍ରହ କରାଯାଇ ନଥିବା ବେଳେ ମୟୂରଭଞ୍ଜରେ ୩, କେନ୍ଦ୍ରାପଡ଼ାରେ ୧୦, ଭଦ୍ରକ ୧୪, ଜଗତସିଂହପୁର ୧୬ ନମୁନା ସଂଗ୍ରହ କରାଯାଇଛି। ମୋଟାମୋଟି ଭାବେ ଆରଟି-ପିସିଆର ପରୀକ୍ଷା ୭/୮ହଜାର କମି ଆସିଛି।

ବରିଷ୍ଠ ଚିକିତ୍ସକ ଡା.ନି‌ରୋଜ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ଏବେ ନିମ୍ନଗାମୀ ହୋଇଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଶୀର୍ଷ ସଂକ୍ରମଣ ଭିନ୍ନ ରହିଥିଲା। ଦୀର୍ଘ ଦିନ ଧରି ଏହା ଏକପ୍ରକାର ପ୍ଲାଟ୍ୟୁ ସ୍ଥିତିରେ ରହିଥିଲା। ହେଲେ ଏବେ ପଜିଟିଭ୍ ହାର ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ୫-୭ ପ୍ରତିଶତକୁ ଖସି ଆସିଥିବା ବେଳେ ଦେଶରେ ମଧ୍ୟ ଏହା ୧୦ ତଳେ ରହିଛି। ଆସନ୍ତା ୨ସପ୍ତାହ ଭିତରେ ରାଜ୍ୟରେ ମଧ୍ୟ ପଜିଟିଭ୍ ହାର ୫ ତଳକୁ ଖସି ଆସିବ ବୋଲି ଆଶା। ତେବେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ୍ କରିବା ଜରୁରୀ। ସମସ୍ତ ପ୍ରକାର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ବନ୍ଦ ରଖିବା ସହିତ ମାସ୍କକୁ କଡ଼ାକଡ଼ି ଜାରି ରଖିବା ଜରୁରୀ। ଏହାସହ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ରହିଛି ୧୪.୭ ପ୍ରତିଶତ। ଏହା ସତ୍ତ୍ବେ ରାଜ୍ୟର ସାମଗ୍ରିକ ପଜିଟିଭ୍ ହାର ୬.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାରେ ୧୧୩୪, କଟକ ୬୯୦, ଅନୁଗୁଳ ୫୧୫, ପୁରୀ ୪୫୭, ଯାଜପୁର ୪୦୬, ମୟୂରଭଞ୍ଜ ୩୨୦, ବରଗଡ଼ ୨୭୧, ବୌଦ୍ଧ ୨୫୭, ଢେଙ୍କାନାଳ ୨୫୫ ଓ ଷ୍ଟେଟ୍‌ ପୁଲରୁ ୨୩୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାର ୧୪୩କୁ ବୃଦ୍ଧି ପାଇଛି। ଏହାସହ ୩୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ଅନୁଗୁଳରୁ ସର୍ବାଧିକ ୫, ରାୟଗଡ଼ା, କଳାହାଣ୍ଡିରେ ୪ ଲେଖାଏଁ, ଖୋର୍ଧା, ନବରଙ୍ଗପୁର, ଝାରସୁଗୁଡ଼ା ୩ ଲେଖାଏ, ବୌଦ୍ଧ, ଜଗତସିଂହପୁର, କୋରାପୁଟରେ ୨ ଲେଖାଏଁ, ସୋନପୁର, ସମ୍ବଲପୁର, ମାଲକାନଗିରି ଓ କଟକରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୨୬୮୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର