ରାଜ୍ୟରେ ଲକ୍ଷେ ଟପିଲା ଚିକିତ୍ସାଧୀନ ରୋଗୀ ସଂଖ୍ୟା

ସବୁଥିରେ ରେକର୍ଡ
ନମୁନା ପରୀକ୍ଷା: ୬୭,୧୫୬
ସଂକ୍ରମଣ: ୧୨,୮୫୨
ମୃତ୍ୟୁ: ୨୮, ପଜିଟିଭ୍ ହାର: ୧୯%

ଭୁବନେଶ୍ବର : ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ଟପିଛି। ରବିବାର୧୧,୬୨୭ ଆକ୍ରାନ୍ତ ସୁସ୍ଥ ହେବା ସତ୍ତ୍ବେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୩୫କୁ ବୃଦ୍ଧି ପାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୮୯ହଜାର ୬୧୦ରେ ପହଞ୍ଚିଛି। ଗତ ମାର୍ଚ ୨୨ ତାରିଖ ବେଳକୁ ରାଜ୍ୟରେ ୭୮୫ ଜଣ ଚିକିତ୍ସାଧୀନ ‌ରୋଗୀ ଥିବା ବେଳେ ଠିକ୍ ୨ମାସ ପରେ ୯୯,୪୫୦ ସଂକ୍ରମିତ ବୃଦ୍ଧି ପାଇଛନ୍ତି। କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଓ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେବା କାରଣରୁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ରାଜ୍ୟରେ ରବିବାର ଦୈନିକ କୋଭିଡ୍‌ ନମୁନା ପରୀକ୍ଷା, ସଂକ୍ରମଣ ଓ ମୃତ୍ୟୁ ସବୁଥିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ୨୪ଘଣ୍ଟାରେ ସର୍ବାଧିକ ୬୭,୧୫୬ ନମୁନା ପରୀକ୍ଷା ହୋଇଥିବା ବେଳେ ୧୨,୮୫୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ପଜିଟିଭ୍ ହାର ରହିଛି ୧୯ ପ୍ରତିଶତ। ହେଲେ ରାଜ୍ୟର ୨୮ଟି ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

ଖୋର୍ଧାରେ ପୁଣିଥରେ ଦୈନିକ ସଂକ୍ରମଣ ୨ହଜାର ନିକଟତର ହୋଇଛି। ୨୪ଘଣ୍ଟାରେ ୧୯୦୯ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୬୦୮କୁ ବୃଦ୍ଧି ପାଇଛି। ପୁଣିଥରେ କଟକ ଜିଲ୍ଲାରେ ସଂକ୍ରମଣ ହଜାରେ ଟପିଛି। ଜିଲ୍ଲାରୁ ୧୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଅନୁଗୁଳ ୮୭୪, ସୁନ୍ଦରଗଡ଼ ୮୪୮, କଳାହାଣ୍ଡି ୬୬୮, ମୟୂରଭଞ୍ଜ ୫୮୬, ବାଲେଶ୍ବର ୫୦୮, ଢେଙ୍କାନାଳ ୪୮୨, ପୁରୀ ୪୭୨, ବରଗଡ଼ ୪୬୧, ଝାରସୁଗୁଡ଼ା ୩୯୯, ସମ୍ବଲପୁର ୩୫୫, ବୌଦ୍ଧ ୩୪୭, ନବରଙ୍ଗପୁର ୩୪୪, ଗଞ୍ଜାମ ୩୪୦, ଯାଜପୁର ୩୩୭, ନୟାଗଡ଼ ୩୩୧, ଜଗତସିଂହପୁର ୩୦୦ ଓ ଷ୍ଟେଟ୍‌ ପୁଲରୁ ୩୩୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୯୨ହଜାର ୩୮୨କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ ଗୋଟିଏ ଦିନରେ ୨୮ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଖୋର୍ଧାରୁ ସର୍ବାଧିକ ୫, ସୁନ୍ଦରଗଡ଼, କଳାହାଣ୍ଡିରୁ ୪ଜଣ ଲେଖାଏ, ଅନୁଗୁଳ, କେନ୍ଦ୍ରାପଡ଼ାରେ ୩ଜଣ ଲେଖାଏ, ନବରଙ୍ଗପୁର, ପୁରୀ, ରାୟଗଡ଼ାରୁ ୨ଜଣ ଲେଖାଏ, ନୂଆପଡ଼ା, ଗଞ୍ଜାମ, ଗଜପତିରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୨୪୮୪ରେ ପହଞ୍ଚିଛି।

୭୯% ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟା ଭର୍ତି କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଗୃହ ପୃଥକବାସରେ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କଠାରେ କମ୍ କିମ୍ବା ସ୍ବଳ୍ପ ଲକ୍ଷଣ ରହିଛି ସେମାନଙ୍କୁ ଘରେ ରହି ଚିକିତ୍ସା ହେବା ଲାଗି ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ୮୫ ପ୍ରତିଶତ ରୋଗୀ ଗୃହ ପୃଥକବାସରେ ରହୁଥିଲେ ‌‌ହେଁ, ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଏହାର ପ୍ରବଳ ଚାପ ସୃଷ୍ଟି କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ଥିବା ଆଇସିୟୁ/ଏଚଡିୟୁ ଶଯ୍ୟାର ୭୯ ପ୍ରତିଶତରେ ରୋଗୀ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗରୁ ଜଣାପଡ଼ିଛି। ଆଇସିୟୁ/ଏଚ୍‌ଡିୟୁକୁ ମିଶାଇ ରାଜ୍ୟରେ ୩୫୦୮ଶଯ୍ୟା ଥିବା ବେଳେ ଏଥିରେ ଏବେ ୨୭୬୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଇସିୟୁ ଭେଣ୍ଟିଲେଟରର ୧୧୦୨ଶଯ୍ୟାରେ ୬୯୫ଜଣ ରହିଛନ୍ତି। ଯାହାର ହାର ହେଉଛି ୬୩ ପ୍ରତିଶତ। ବିଭିନ୍ନ କୋଭିଡ ହସ୍ପିଟାଲର ସାଧାରଣ ଶଯ୍ୟାରେ ୫୩୪୯ଜଣ ରୋଗୀ ରହିଛନ୍ତି। କୋଭିଡ କେୟାର ସେଣ୍ଟର ବା ସିସିସ ଓ କୋଭିଡ କେୟାର ହୋମ୍‌ ବା ସିସିଏଚ୍‌କୁ ମିଶାଇ ୬୭୮୫ ଆକ୍ରାନ୍ତ ଅଛନ୍ତି। ତେବେ ଆଜି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ଫଳରେ ଶଯ୍ୟା ସଂଖ୍ୟାରେ ପରିବର୍ତନ ହୋଇପାରେ।

ସମ୍ବନ୍ଧିତ ଖବର