ଭୁବନେଶ୍ବର : ଗତ ତିନି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିଲା। କେବେ ୧୦ହଜାର ଭିତରେ ସ୍ଥିର ରହିଥିଲା ତ ଆଉ କେବେ ୧୦ହଜାର ତଳକୁ ଖସି ଆସିଥିଲା। ଆଶା କରାଯାଉଥିଲା ଏହି ସଂଖ୍ୟା ଆହୁରି ହ୍ରାସ ପାଇବ। ରାଜ୍ୟରେ ହୁଏତ ଶୀର୍ଷ ସଂକ୍ରମଣ ଆସି ସାରିଛି। ହେଲେ ଏଭଳି ଆଶଙ୍କାକୁ ଭୁଲ ପ୍ରମାଣିତ କରି ପୁଣିଥରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦,୯୮୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ପୂର୍ବଦିନ ତୁଳନାରେ ୧୨ ପ୍ରତିଶତରୁ ଅଧିକ। ପରିଣାମ ସ୍ବରୂପ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ସଂଖ୍ୟା ଆଡ଼କୁ ମୁହାଁଇଛି।
ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ କ୍ରମାଗତ ଭାବେ ୨୦ ପ୍ରତିଶତ ଉପରେ ରହିଛି। ପୂର୍ବରୁ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଟିପିଆର୍ ଅଧିକ ରହୁଥିବା ବେଳେ ଏବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହା ଅଧିକ ରହିଥିବା ନଜରକୁ ଆସିଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୧୯୧ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଏଥିରେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୨୨.୩୨ ପ୍ରତିଶତ ରହିଛି। ମାତ୍ର କଟକରେ ଏହା ସର୍ବାଧିକ ୪୭.୨୨ ପ୍ରତିଶତ ଥିବା ବେଳେ କଳାହାଣ୍ଡିରେ ୪୧ ଓ ଅନୁଗୁଳରେ ୪୦ ପ୍ରତିଶତ ରହିଛି। ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ନିମ୍ନଗାମୀ ହୋଇ ନ ଥିବା ବେଳେ ରାଜ୍ୟର ପୂର୍ବ ଓଡ଼ିଶାରେ ଟିପିଆର୍ ବଢ଼ିବା ରାଜ୍ୟର ସଂକ୍ରମଣକୁ ଆହୁରି ବଢ଼ାଇ ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ରାଜ୍ୟରେ ଚଳିତମାସ ଦ୍ବିତୀୟ ସପ୍ତାହରେ କରୋନା ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ବିଭିନ୍ନ ସଂକ୍ରମଣ ମଡେଲ ଆକଳନ କରିଥିଲେ। ହେଲେ ଏବେ ଏଥିରେ ମଧ୍ୟ ବିଳମ୍ବ ହୋଇପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି। ସପ୍ତାହାନ୍ତ ସଟ୍ଡାଉନ୍ ଓ ଲକ୍ଡାଉନ୍ ଯୋଗୁଁ ଏଥିରେ ସାମାନ୍ୟ ଏପଟ ସେପଟ ହୋଇପାରେ।
ରାଜ୍ୟରେ ଖୋର୍ଧା ଜିଲ୍ଲା ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୫୩୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୦୯୨କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ରୁ ୯୬୪, କଟକ ୮୮୫, ଅନୁଗୁଳ ୫୩୯, ସମ୍ବଲପୁର ୪୫୪, ବରଗନ ୪୩୧, ବଲାଙ୍ଗୀର ୪୨୬, ପୁରୀ ୩୯୮, ଝାରସୁଗୁଡ଼ା ୩୮୦, ନୂଆପଡ଼ା ୩୭୮, କଳାହାଣ୍ଡି ୩୭୦ ଓ ଷ୍ଟେଟ ପୁଲ୍ରୁ ୩୩୨ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ରାଜ୍ୟର ୨୬ଟି ଜିଲ୍ଲା ରେଡ ଜୋନ୍ରେ ରହିଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ହଜାର ୬୪୮କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୧୭ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଅନୁଗୁଳ, ଖୋର୍ଧାରୁ ୩ ଲେଖାଏଁ, ସୁନ୍ଦରଗଡ଼, ପୁରୀ, କଳାହାଣ୍ଡିରେ ୨ ଲେଖାଏ, ବାଲେଶ୍ବର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୮୫୪୭ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୭୩୬୮୦ରେ ପହଞ୍ଚିଛି।