ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପୁଣି ୫ ହଜାର ଉପରେ, ପାର୍ବଣରେ ବଦଳିପାରେ ଗାଇଡଲାଇନ୍‌

ଭୁବନେଶ୍ବର : ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପୁଣି ୫ହଜାର ଉପରକୁ ବୃଦ୍ଧି ପାଇଛି। ଗତ କିଛିଦିନ ହେବ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା କମ୍ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୪୫ ପ୍ରତିଶତ କେବଳ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୫୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୨୫୪, କଟକ ୪୮, ଜଗତସିଂହପୁର ୩୧, ବାଲେଶ୍ବର ୨୩, ଯାଜପୁର ୧୭, ମୟୂରଭଞ୍ଜ ୧୩, ପୁରୀ ୧୨ ଓ ଷ୍ଟେଟ୍‌ ପୁଲରୁ ୬୦ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୩ହଜାର ୧୩୩କୁ ବୃଦ୍ଧି ପାଇଛି। ତେବେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ରାଜ୍ୟରେ ପୁଣିଥରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ଏବେ କେବଳ ଖୋର୍ଧା ଓ କଟକରେ ସଂକ୍ରମଣ ଉଚ୍ଚ ରହୁଥିବା ବେଳେ ଅନ୍ୟ ଜିଲ୍ଲାରେ ଯଦି ସଂକ୍ରମଣ ବଢ଼େ ତାହାଲେ ପୁଣିଥରେ ସମସ୍ୟା ସୃଷ୍ଟି କରିପାରେ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୫ ପ୍ରତିଶତରୁ ଅଧିକ ଟିପିଆର(ଟେଷ୍ଟ ପଜିଟିଭ୍ ରେଟ୍‌) ଥିବା ରାଜ୍ୟ ପାର୍ବଣ ଋତୁ ପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ନେଇ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଗଣେଶ ପୂଜା ପୂର୍ବରୁ ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ଯଦି ପୂଜା ସମୟରେ ସଂକ୍ରମଣ ବୃଦ୍ଧି ପାଇବ ତାହାଲେ ଆବଶ୍ୟକତା ଅନୁଯାୟୀ ଗାଇଡଲାଇନ୍‌ରେ ପରିବର୍ତନ କରାଯାଇପାରେ। ହାଇକୋର୍ଟ ମଧ୍ୟ ପୂଜା ସମୟରେ ସରକାରଙ୍କ ଗାଇଡ୍‌ଲାଇନ୍ ମାନିବାକୁ କହିଛନ୍ତି। ତେଣୁ ଲୋକମାନେ କୋଭିଡ ଗାଇଡ୍‌ଲାଇନ୍ ମାନିବା ଜରୁରୀ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ କଟକ ଓ ସୁନ୍ଦରଗଡ଼ର ୩ଜଣ ଲେଖାଏଁ ରହିଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୧୬୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୯୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୯ହଜାର ୫୮୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର