ଶିକ୍ଷକଙ୍କୁ ଟପିଲେ ଶିକ୍ଷୟିତ୍ରୀ, ୭ ବର୍ଷରେ ଶିକ୍ଷୟିତ୍ରୀ ସଂଖ୍ୟା ୩୭ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ସାରା ଦେଶରେ ଶିକ୍ଷକଙ୍କଠାରୁ ଅଧିକ ଅଛନ୍ତି ଶିକ୍ଷୟିତ୍ରୀ। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫର୍‌ମେସନ୍‌ ଅନ୍‌ ସ୍କୁଲ ଏଜୁକେସନ୍‌ ପକ୍ଷରୁ ୨୦୧୯ ମସିହାର ତଥ୍ୟ ଆଧାରରେ ଏହି ରିପୋର୍ଟ ଜାରି ହୋଇଛି। କାର୍ଯ୍ୟରତ ୯୬.୮ ଲକ୍ଷ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ସମୁଦାୟ ୪୯.୨ ଲକ୍ଷ ଶିକ୍ଷୟିତ୍ରୀ କାର୍ଯ୍ୟ କରିବା ଦେଶ ପାଇଁ ଶୁଭ ସୂଚନା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ସଂଖ୍ୟା ଦୃଷ୍ଟିରୁ ଶିକ୍ଷକଙ୍କୁ ଶିକ୍ଷୟିତ୍ରୀ ଟପି ଯାଇଛନ୍ତି। ୨୦୧୨ ମସିହାରେ ଦେଶରେ ସମୁଦାୟ ୪୨.୪ ଲକ୍ଷ ଶିକ୍ଷକ ଓ ୩୫.୮ ଶିକ୍ଷୟିତ୍ରୀ ଥିଲେ। ୭ ବର୍ଷ ମଧ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୭ ପ୍ରତିଶତ ଅର୍ଥାତ ୧୩ ଲକ୍ଷ ବୃଦ୍ଧି ପାଇଛି। କେବଳ ପ୍ରାଥମିକ ଶିକ୍ଷାସ୍ତରରେ ଏହି ସ୍ଥିତି ରହିଛି। ଉଚ୍ଚ ପ୍ରାଥମିକ ଶିକ୍ଷାରେ ଶିକ୍ଷକଙ୍କ ଆଧିପତ୍ୟ ଜାରି ରହିଛି। ପ୍ରାଥମିକ ଶିକ୍ଷା ପୂର୍ବରୁ ଅର୍ଥାତ କେଜି, ନର୍ସରିରେ ଅଧିକ ସଂଖ୍ୟକ ଶିକ୍ଷୟିତ୍ରୀ ଅଛନ୍ତି। ଏଠାରେ ୧ ଲକ୍ଷ ଶିକ୍ଷୟିତ୍ରୀ, ୨୭ ହଜାର ଶିକ୍ଷକ ଅଛନ୍ତି। ପ୍ରାଥମିକ ସ୍ତରରେ ୧୯.୬ ଲକ୍ଷ ଶିକ୍ଷୟିତ୍ରୀ, ୧୫.୭ ଲକ୍ଷ ଶିକ୍ଷକ ଅଛନ୍ତି। ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୧୧.୫ ଲକ୍ଷ ଶିକ୍ଷକ, ୧୦.୬ ଲକ୍ଷ ଶିକ୍ଷୟିତ୍ରୀ ରହିଛନ୍ତି। ଏହାପରଠାରୁ ଅନ୍ୟ ବୃତ୍ତି ଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳା-ପୁରୁଷଙ୍କ ବ୍ୟବଧାନ ବଢ଼ିଚାଲିଛି। ମାଧ୍ୟମିକ ସ୍କୁଲରେ ୬.୩ ଲକ୍ଷ ଶିକ୍ଷକ, ୫.୨ ଲକ୍ଷ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ୩.୭ ଲକ୍ଷ ଶିକ୍ଷକ, ୨.୮ ଲକ୍ଷ ଶିକ୍ଷୟିତ୍ରୀ ଅଛନ୍ତି। କୌତୂହଳର ବିଷୟ ହେଲା; ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଶିକ୍ଷକ ଅଧିକ, ଘରୋଇ ଏବଂ ଅଣଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷୟିତ୍ରୀ ଅଧିକ ଅଛନ୍ତି।

ଦେଶର ସବୁ ସ୍ଥାନରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଶିକ୍ଷା କ୍ଷେତ୍ରରେ ଆଗୁଆ କେରଳ, ସରକାରୀ ସ୍କୁଲ ଭଲ ପ୍ରଦର୍ଶନ ପାଇଁ ଚର୍ଚାରେ ରହିଥିବା ଦିଲ୍ଲୀ ସମେତ ମେଘାଳୟ, ପଞ୍ଜାବ ଏବଂ ତାମିଲନାଡ଼ୁରେ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସବୁ ସ୍ତରରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। କେରଳରେ ୭୯ ପ୍ରତିଶତ, ପଞ୍ଜାବରେ ୭୬ ପ୍ରତିଶତ, ତାମିଲନାଡ଼ୁରେ ୭୫ ପ୍ରତିଶତ, ଦିଲ୍ଲୀରେ ୭୪ ପ୍ରତିଶତ ଏବଂ ହରିୟାଣାରେ ୬୨ ପ୍ରତିଶତ ଶିକ୍ଷୟିତ୍ରୀ ଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର