ଡ୍ରାଇଭିଂ ଲାଇସେନ୍ସରେ ମହିଳାଙ୍କ ସଂଖ୍ୟା ୩୩% ବୃଦ୍ଧି

କଟକ : ମହିଳାମାନେ ଅଧିକ ସ୍ବାବଲମ୍ବୀ ହେଉଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ଗା‌ଡ଼ି ଚଳାଇ ନିଜ କାମ କରିବା ଏମିତିକି ଚାରି ଚକିଆ ଗାଡ଼ି ଚଳାଇବା ସଂଖ୍ୟା ବି ବଢିବାରେ ଲାଗିଛି। ଗଲା ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଛି।

ହସ୍ତଗତ ତଥ୍ୟ ଅନୁସାରେ, ଗତ ୨୦୧୭ରେ ୨୫ ହଜାର ୮୬ ଜଣ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍‌ସ ପାଇଥିଲେ। ୨୦୨୧ ଏହି ସଂଖ୍ୟା ୩୩୬୬୬କୁ ବୃଦ୍ଧି ପାଇଛି। ଅବଶ୍ୟ ୨୦୧୯ ଏବଂ ୨୦୨୦କୁ ତୁଳନା କଲେ ଏହା ହ୍ରାସ ପାଇଛି। ୨୦୨୦ରେ ମହିଳା ଡ୍ରାଇଭିଂ ଲାଇସେନସଧାରୀଙ୍କ ସଂଖ୍ୟା ୩୬ ହଜାର ଥିଲା। ଅନ୍ୟ ରାଜ୍ୟ ସହ ତୁଳନା କଲେ ଏହି ସଂଖ୍ୟା ଓଡ଼ିଶା‌ରେ ଉତ୍ସାହଜନକ ରହିଛି ବୋଲି ସଡକ ସୁରକ୍ଷା ଯୁଗ୍ମ କମିସନର ସଂଜୟ ବି‌ଶ୍ବାଳ କହିଛନ୍ତି। ଶ୍ରୀ ବିଶ୍ବାଳ କହିଛନ୍ତି, ସମାଜରେ ଅଧିକରୁ ଅଧିକ ମହିଳା ଆଗକୁ ଆସିବା ଏବଂ ଡ୍ରାଇଭିଂ ଲାଇସେନ୍ସ ନେବାକୁ ଉତ୍ସାହିତ କରାଯିବା ଆବଶ୍ୟକ। ମହିଳାମାନେ ଗାଡ଼ି ଚଳାଇବା ଶିଖିବା ଦ୍ବାରା ଆତ୍ମବିଶ୍ବାସ ଲାଭ କରନ୍ତି। ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି ନାହିଁ। ମହିଳାମାନଙ୍କୁ ସଶକ୍ତୀକରଣ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପରିବହନ ବିଭାଗ ଓ ଓଡ଼ିଶା ସରକାର ମହିଳାମାନଙ୍କୁ ଡ୍ରାଇଭିଂ ତାଲିମ ଦେଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ଭୁବନେଶ୍ବର ଓ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଡିଟିଆଇ, ଛତିଆରେ ମହିଳାମାନଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯାଉଛି। ଭୁବନେଶ୍ବରରେ ୨୫ ଜଣ ମହିଳା ପ୍ରଶିକ୍ଷକଙ୍କଠାରୁ ବର୍ତ୍ତମାନ ୯୦ଜଣ ମହିଳା ପ୍ରଶିକ୍ଷଣ ନେଇଛନ୍ତି। ଛତିଆ ଏଚଏମଭି, ଡିଟିଆଇରେ ମହିଳାଙ୍କ ନାମ କ୍ରମାଗତ ବୃଦ୍ଧି ପାଇଛି। ଗତ ୩ରୁ ୪ବର୍ଷ ଭିତରେ ୬୦ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରଶିକ୍ଷଣ ନେଇ ଏବେ ଚାକିରି ବି କରୁଛନ୍ତି।

ସମ୍ବନ୍ଧିତ ଖବର