ଏକ ନମ୍ବର ଜିଲ୍ଲା ଗଞ୍ଜାମରେ ମନରେଗା ଦୁର୍ନୀତି ଫର୍ଦ୍ଦ ଲମ୍ବୁଛି
ଗ୍ରାମୀଣ ପାର୍କ ନିର୍ମାଣରେ ମୁଠେ ମାଟି ପଡ଼ିନି, ମଷ୍ଟର୍ରୋଲ୍ରେ ୨୮ ନକଲି ଶ୍ରମିକ
ବୁଗୁଡ଼ା : ମନରେଗା ଯୋଜନା କାର୍ଯ୍ୟକାରିତାରେ ଦେଶରେ ପାଞ୍ଚ ନମ୍ବର ଓ ରାଜ୍ୟରେ ଏକ ନମ୍ବର ଗଞ୍ଜାମ ଜିଲ୍ଲାରେ ଦୁର୍ନୀତିର ଫର୍ଦ୍ଦ ବି ଲମ୍ବିବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରକଳ୍ପ କାମ ପାଇଁ ମାଟି ମୁଠାଏ ନପକାଇ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଆଉ ଏକ ଉଦାହରଣ ପଦାକୁ ଆସିଛି। ଏଭଳିକି ଅଙ୍ଗନବାଡ଼ି କର୍ମୀ ଏବଂ ହେଲପର୍ଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ସଜାଇ ଦିଆ ଯାଇଥିବା ଭଳି ସଂଗିନ୍ ଅଭିଯୋଗ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଏହି ମଷ୍ଟର୍ରୋଲ୍ରେ ନାଁ ଚଢ଼ା ଯାଇଥିବା ନକଲି ଶ୍ରମିକଙ୍କ ଖାତାକୁ ହଜାର ହଜାର ଟଙ୍କା ବି ଟ୍ରାନ୍ସଫର୍ ହୋଇଛି।
ହସ୍ତଗତ ହୋଇଥିବା ସୂଚନାନୁସାରେ, ବୁଗୁଡ଼ା ବ୍ଲକ୍ ବାଲିପଦର ପଞ୍ଚାୟତ ସଦାଶିବରପୁର ଗ୍ରାମରେ ବଳଢ଼ିଆ ବନ୍ଧ ନିକଟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ବ୍ଲକ୍ ପାଣ୍ଠିରୁ ମନରେଗା ଯୋଜନାରେ ପ୍ରାୟ ୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗତ ଜୁନ୍ ୬ ତାରିଖରେ କାମ ଆରମ୍ଭ ହୋଇଥିବା ସରକାରୀ କାଗଜପତ୍ରରେ ଉଲ୍ଲେଖ କରାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ପ୍ରକଳ୍ପ ନିର୍ମାଣ ସ୍ଥାନରେ ଫଳକ ଲଗାଯାଇନି କି କାମ ଆରମ୍ଭ ହୋଇନି।
ମଷ୍ଟରରୋଲ୍ରେ ଗତ ଜୁନ୍ ୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ୨୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇ ୭୯୮ ଶ୍ରମଦିବସ ସୃଷ୍ଟି କରାଯାଇଛି। ଜୁନ୍ ୨୨ ତାରିଖରେ ୨୮ ଜଣ ଶ୍ରମିକଙ୍କୁ ପ୍ରଥମ କିସ୍ତିରେ ଦିନକୁ ଜଣକ ପିଛା ୨୦୧ ଟଙ୍କା ହିସାବରେ ୧୪ ଦିନ କାମ କରିଥିବା ଦର୍ଶାଇ ୨୮୧୪ ଟଙ୍କା ଓ ଚଳିତମାସ ୮ ତାରିଖରେ ପୁଣି ସେହି ୨୮ ଜଣ ଶ୍ରମିକଙ୍କୁ ଦ୍ବିତୀୟ କିସ୍ତିରେ ୨୦୨ ଟଙ୍କା ହିସାବରେ ୧୪ ଦିନ କାମ କରିଥିବା ଦର୍ଶାଇ ୨୮୨୮ ଟଙ୍କା ସେମାନଙ୍କ ଆକାଉଣ୍ଟ୍କୁ ଛଡ଼ାଯାଇଛି। ଏଭଳି ଭାବେ ଦୁଇଟି କିସ୍ତିରେ ୨୮ ଜଣଙ୍କ ଆକାଉଣ୍ଟ୍କୁ ମୋଟ ୧ ଲକ୍ଷ ୬୦ହଜାର ୭୯୦ ଟଙ୍କା ପଠାଯାଇଥିବା କାଗଜପତ୍ରରେ ଉଲ୍ଲେଖ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇନି।
ଅଙ୍ଗନବାଡ଼ି କର୍ମୀ, ହେଲପର୍ଙ୍କୁ ବି ଶ୍ରମିକ ସଜାଯାଇଛି
ଲକ୍ଷାଧିକ ଟଙ୍କାର ବିଲ୍, ଆକାଉଣ୍ଟକୁ ଯାଇଛି ଟଙ୍କା
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ୨୮ ଜଣ ଶ୍ରମିକଙ୍କ ତାଲିକାରେ ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଓ ହେଲପର୍ ବି ଅଛନ୍ତି। ସେମାନଙ୍କୁ ଶ୍ରମିକ ବୋଲି ଦର୍ଶାଇ ଆକାଉଣ୍ଟ୍କୁ ଟଙ୍କା ବି ପଠାଯାଇଛି। ସେହିପରି ବାକି ଯେଉଁ ୨୬ ଜଣଙ୍କ ନାମ ଅଛି, ସେମାନେ କେବେ ବି କାମ କରିବାକୁ ଯାଇନାହାନ୍ତି। ଏପରିକି ବ୍ରାହ୍ମଣଶାସନ ଗ୍ରାମରେ ପାଣି ଆଣିବାକୁ ମଧ୍ୟ କେବେବି ପଦାକୁ ବାହାରି ନଥିବା ମହିଳାଙ୍କ ନାମ ଏହି ତାଲିକାରେ ରହିଛି। ଫଳରେ ସେମାନେ କେଉଁ ଆଧାରରେ ମନରେଗା ଶ୍ରମିକ ହେଲେ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା ଏକ ଉଦାହରଣ ମାତ୍ର। ବୁଗୁଡ଼ା ବ୍ଲକ୍ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ବି ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ବହୁ ନଜିର୍ ରହିଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।