ଭିମ୍‌ସାର୍‌: କାର୍ଯ୍ୟରେ ଯୋଗଦେଲେ ନର୍ସ

ବୁର୍ଲା : ଗତ ଗୁରୁବାରରୁ ଚାଲିଥିବା ଭିମ୍‍ସାର୍‍ ସେବିକା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହେବା ପରେ ନର୍ସମାନେ ପୁନଃ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ବୁଧବାର ଭୁବନେଶ୍ୱରସ୍ଥିତ ଏନ୍‍ଏଚ୍‍ଏମ୍‍ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟର ତିନି ପ୍ରମୁଖ ମେଡିକାଲ୍‍ କଲେଜର ଆନ୍ଦୋଳନକାରୀ ନର୍ସିଂ ସଂଘର ପ୍ରତିନିଧି ଦଳଙ୍କୁ ଡକାଯାଇ ସେମାନଙ୍କ ସହ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରି ସୁଦ୍ଧା ନର୍ସମାନଙ୍କ ଦାବିଗୁଡିକ ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବାକୁ ଲଖିତ ପ୍ରତିଶୃତି ଦିଆଯିବା ପରେ ସେବିକା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ମାସେ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି। ଏହା ସହିତ କଲେଜ ସମ୍ମୁଖରେ ଚାଲିଥିବା ଧାରଣା ମଧ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ଆଜି ଭିମ୍‍ସାର୍‍୍‍ ସର୍ଜରି ସେମିନାର୍‍ ହଲ୍‍ ଠାରେ ସେବିକା ସଂଘର ଏକ ବୈଠକ ହୋଇଥିଲା। ବୈଠକରେ ରାଜ୍ୟସରକାରଙ୍କ ପକ୍ଷରୁ ଗୋଟେ ମାସର ମହଲତରେ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ସଂଘ କର୍ମକର୍ତ୍ତା ନର୍ସମାନଙ୍କୁ ଅବଗତ କରାଇଥିଲେ। ଭିମ୍‍ସାର୍‍ରେ ୨ଶହ ସ୍ଥାୟୀ,୪୬୩ ଚୁକ୍ତି ଭିତ୍ତିକ ଓ ୧୨ ଟ୍ରମା କେୟାର ମିଶାଇ ମୋଟ ୬୭୫ ଜଣ ନର୍ସ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର