ବିଲୁଆଖାଇ ନଦୀରୁ ନର୍ସଙ୍କ ଶବ ମିଳିବା ଘଟଣା : ହତ୍ୟା ପ‌ଛରେ ପ୍ରେମ କାହାଣୀ

ଡିଏନ୍ଏ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ, ଅଭିଯୁକ୍ତ କିଶୋର ଏବେ ବି ଫେରାର୍‌, ମିଳିଲା ଅପହରଣ ଦିନର ସିସିଟିଭି ଫୁଟେଜ୍

ଜଗତସିଂହପୁର ଟାଉନ୍/ ବିରିଡି/ବାଲିଅନ୍ତା : ଜଗତ୍‌ସିଂହପୁର ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ଗତକାଲି ନିଖୋଜ ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଘଟଣା ପଛରେ ପ୍ରେମ କାହାଣୀ ଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ନିହାରିକାଙ୍କ‌ ପ୍ରେମିକ କିଶୋର କୁମାର ଆଞ୍ଚଲ ଫେରାର୍‌ ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି। ତେବେ, ଶବର ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ପ୍ରକୃତରେ ନିହାରିକାଙ୍କର କି’ ନୁହେଁ ତାହା ଜାଣିବା ପାଇଁ ପୁଲିସ ଡିଏନ୍ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରିଛି। ସେହିପରି, ପୁଲିସ ଟିମ୍‌ ନିହାରିକା କାମ କରୁଥିବା ନର୍ସିଂହୋମ୍‌ର ସିସିଟିଭି ଫୁଟେଜ୍‌ ବି ସଂଗ୍ରହ କରିଥିବା ଜଣାପଡ଼ିଛି।

ଆଜି ଜଗତସିଂହପୁର ପୁଲିସ୍‌ କଟକ ଏସ୍‌ସିବି ଏଫ୍‌ଏମ୍‌ଟି ବିଭାଗରେ ନିହାରିକାଙ୍କ ଶବ ବ୍ୟବଚ୍ଛେଦ କରାଇଛି। ନିହାରିକାଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପ୍ରକୃତ ପରିଚୟ ପ୍ରମାଣ ପାଇଁ ପୁଲିସ ଡିଏନ୍‌ଏ ଟେଷ୍ଟ୍‌ର ସାହାରା ନେଇଛି। ରକ୍ତ ନମୁନା ବି ସଂଗ୍ରହ କରିଛି। ତେବେ, ତାଙ୍କ ପୋଷାକରୁ ପରିବାର ଲୋକେ ମୃତଦେହ ନିହାରିକାଙ୍କର ବୋଲି ଚିହ୍ନଟ କରିଛନ୍ତି। କଟକ ବଡ଼ ହସ୍ପିଟାଲରେ ନୀହାରିକାଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଆଜି ସଂଧ୍ୟାରେ ଖାନନଗର ଶ୍ମଶାନରେ ଶବ ସତ୍କାର କରାଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ମୁଖ୍ୟ ଅଭିଯୁକ୍ତ କିଶୋର ଫେରାର୍‌ ଥିବାରୁ ପୁଲିସ୍‌ ତାଙ୍କ ମା, ବାପା, ଭାଇ ଓ ସାଙ୍ଗସାଥୀଙ୍କୁ ଆଣି ପଚରାଉଚରା କରିଛି। ଘଟଣାର କିଛି ତଥ୍ୟ ପୁଲିସ ହାତରେ ଲାଗିଥିଲେ ବି ପୁଲିସ ତାହା ପ୍ରକାଶ କରିନାହିଁ। ହତ୍ୟାକାଣ୍ତ ପଛରେ କିଶୋର ନା’ ଆଉ କିଏ ଅଛି, ସେ ଦିଗରେ ସ୍ପଷ୍ଟ ହେବା ପାଇଁ ପୁଲିସ ତଦନ୍ତ ଚଳାଇଛି। ଫେରାର୍ କିଶୋରଙ୍କୁ ଧରିବା ପାଇଁ ପୁଲିସ୍‌ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି।

ଅପରପକ୍ଷେ ବାପା ଗଗନ ପାତ୍ର ବିରିଡ଼ି ଥାନାରେ ନୀହାରକାଙ୍କୁ ଏକାଧିକ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଆଜି ପୂର୍ବାହ୍ନରେ ବିରିଡ଼ି ପୁଲିସ ଭିଙ୍ଗାରପୁରରେ ପହଞ୍ଚି ଗଗନ ଓ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଛି। ନୀହାରିକାଙ୍କ ପୁରୁଷ ବନ୍ଧୁ ତଥା ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ହାଜିପୁର ଗ୍ରାମର କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପରିବାରଲୋକ କହିଛନ୍ତି।

ସେପଟେ, ଏକମାତ୍ର ରୋଜଗାରିଆ ଝିଅକୁ ହରେଇ ନିହାରିକାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି। ତେବେ ଅଭାବ ଅନଟନ ଯୋଗୁଁ ନିହାରିକା ବିରିଡ଼ିରେ ମାମୁଁଙ୍କ ଘରେ ରହି ନର୍ସିଂ ଟ୍ରେନିଂ ନେବା ପରେ କଟକ ଲିଙ୍କ୍ ରୋଡସ୍ଥିତ ଏମ୍ଏମ୍ ମେଡ଼ିକେୟାରରେ ଷ୍ଟାଫ୍ ନର୍ସ ଭାବେ କାମ କରୁଥିଲେ। ବିରିଡ଼ିରେ ମାମୁଁ ଘରେ ରହିବା ସମୟରେ ଅଭିଯୁକ୍ତ ହାଜିପୁରର କିଶୋରଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବାହାଘର ପାଇଁ ଉଭୟଙ୍କ ପରିବାରରେ ମଧ୍ୟ ଆଲୋଚନା ହୋଇଥିଲା। ଗତ ୮ ତାରିଖ ଦିନ କିଶୋର ଏମ୍ଏମ୍ ମେଡ଼ିକେୟାର୍‌ରୁ ନିହାରିକାଙ୍କୁ କେଉଁଆଡେ ନେଇ ଯାଇଥିଲେ। ସେଠାକାର ସିସି ଟିଭି ଫୁଟେଜ ଆଜି ପୁଲିସକୁ ମିଳିଛି। ଉକ୍ତଦିନ ନର୍ସିଂହୋମ୍ କର୍ତ୍ତୃପକ୍ଷ କିଶୋର ସହ କଥା ହୋଇଥିଲେ ଏବଂ ସେ ନିହାରିକାଙ୍କୁ ନେଇଥିବା ବି ସ୍ବୀକାର କରିଥିଲେ। ତେବେ, ସେ ନର୍ସିଂହୋମ୍‌କୁ ନଫେରିବା କାରଣରୁ କଟକ ମଧୁପାଟଣା ଥାନାରେ ଉଭୟ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଓ ମୋବାଇଲ୍‌ ବନ୍ଦ ରହିବାରୁ ପରଦିନ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ହେଲେ, ମଧୁପାଟଣା ପୁଲିସ ଏକ କେବଳ ଏକ ମିସିଂ ରିପୋର୍ଟ‌୍ ଲେଖି ଚୁପ୍‌ ରହିଯାଇଥିଲା।

ସମ୍ବନ୍ଧିତ ଖବର