ତାଳଚେର : ତାଳଚେର ବ୍ଲକ୍ ଏମ୍ସିଏଲ୍ ଲିଙ୍ଗରାଜ କୋଇଲା କ୍ଷେତ୍ର କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ବିଷ୍ଣୁ କୁମାର ଦାସଙ୍କର ଆଜି ସ୍ଥାନୀୟ ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଚିକିତ୍ସାରେ ବିଳମ୍ବ ଓ ଭୁଲ୍ ଇଂଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଡାକ୍ତରଖାନାରେ ଧାରଣା ଦିଆଯାଇଥିଲା। ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ଷ୍ଟାଫ୍ ନର୍ସଙ୍କୁ ଏଥିଲାଗି ନିଲମ୍ବନ କରାଯିବା ସହ ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ପ୍ରଦାନ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ବିଷ୍ଣୁ ଆଜି ସକାଳେ ଫୁଲ ବଗିଚାରେ ପାଣି ଦେବା ସମୟରେ ଅସ୍ୱସ୍ତି ଅନୁଭବ କରୁବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କେନ୍ଦ୍ରୀୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେ ଡାକ୍ତରଖାନାରେ ପହଞ୍ଚିବାବେଳେ କାଜୁଆଲିଟିରେ କୌଣସି ଡାକ୍ତର ନଥିଲେ ବୋଲି ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଅଭିଯୋଗ ହୋଇଛି। ଉପସ୍ଥିତ ଷ୍ଟାଫ୍ନର୍ସ ତ୍ରିବେଣୀ ଦଳବେହେରା ବିଷ୍ଣୁଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର ମାତ୍ର କେଇ ମିନିଟ୍ ପରେ ବିଷ୍ଣୁଙ୍କର ମୃତ୍ୟୁ ଘଟିଥିଲା। ଏ ଖବର ପ୍ରଚାରିତ ହେବା ମାତ୍ରେ ବିଭିନ୍ନ ଶ୍ରମିକ ସଂଗଠନ, ଆତ୍ମୀୟ ସ୍ୱଜନଙ୍କ ସମେତ ହଜାରେରୁ ଅଧିକ ଲୋକ ଡାକ୍ତରଖାନାରେ ରୁଣ୍ଡ ହୋଇଯାଇଥିଲେ। କାଜୁଆଲିଟିରେ ଡାକ୍ତର ନଥିବାରୁ ଚିକିତ୍ସାରେ ବିଳମ୍ବ ଘଟିଛି ଓ ଷ୍ଟାଫ ନର୍ସ ଭୁଲ୍ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଉପସ୍ଥିତ ଶ୍ରମିକ ନେତା ଅଭିଯୋଗ କରିଥିଲେ। ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରି ଶ୍ରମିକ ସଂଗଠନ ପକ୍ଷରୁ ଡାକ୍ତରଖାନା ପରିସରରେ ଧାରଣା ଦିଆଯାଇଥିଲା। ଅଘଟଣ ଆଶଙ୍କାରେ କିଛି ସମୟ ପାଇଁ ଡାକ୍ତରଖାନାରୁ ଡାକ୍ତର, ନର୍ସ ପଳାଇଥିଲେ।
ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସ୍ଡିପିଓ ହେମନ୍ତ କୁମାର ପଣ୍ଡା, କଲିୟରୀ ଥାନା ଅଧିକାରୀ ନିରଂଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଏକ ଟିମ୍ ଗଢ଼ି ଅଭିଯୋଗ ସଂପର୍କରେ ତଦନ୍ତ କରିଥିଲେ। ଠିକ୍ ଭାବେ ରୋଗୀର ଦାୟିତ୍ୱ ନନେବା, ଚିକିତ୍ସାରେ ଅବହେଳା, ଭୁଲ୍ ଇଞ୍ଜେକସନ ଦେବା, ଦାୟିତ୍ୱରେ ଥିବା ଡାକ୍ତର ଆର୍. ଲେଙ୍କାଙ୍କ ସହ ପରାମର୍ଶ ନକରିବା ଆଦି ଅଭିଯୋଗରେ ଚିକିତ୍ସାଳୟ କର୍ତୃପକ୍ଷ ଷ୍ଟାଫ ନର୍ସ ତ୍ରିବେଣୀ ଦଳବେହେରାଙ୍କ ବିରୋଧରେ ତୁରନ୍ତ ଚାର୍ଜସିଟ୍ କରିବା ସହ ତାଙ୍କୁ ନିଲମ୍ବନ କରିଥିଲେ। ସଂଧ୍ୟାରେ ଏମ୍ସିଏଲ୍ ପକ୍ଷରୁ ବିଷ୍ଣୁଙ୍କ ପତ୍ନୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ପରିସ୍ଥିତି ଶାନ୍ତ ହୋଇଥିଲା ଓ ପରିବାର ଲୋକ ଡାକ୍ତରଖାନାରୁ ମୃତଦେହ ଆଣିଥିଲେ। ଏ ସଂପର୍କରେ ମତାମତ ପାଇଁ କେନ୍ଦ୍ରୀୟ ଚିକିତ୍ସାଳୟ ମୁଖ୍ୟ ଡାକ୍ତର ପି. କେ. ପାତ୍ରଙ୍କୁ ତାଙ୍କ ଫେନ୍ ନମ୍ବରରେ ଯୋଗାଯୋଗ କରାଯାଇଥିଲା। ପ୍ରଥମେ ଫୋନ୍ ରିଙ୍ଗ୍ ହୋଇଥିଲେ ସୁଦ୍ଧା ସେ ରିସିଭ୍ କରିନଥିଲେ ଓ ପରେ ଫୋନ୍ ବନ୍ଦ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ।