ରାଜ୍ୟର ପ୍ରଥମ କରୋନା ରୋଗୀଙ୍କୁ ସେବା କରିଥିବା ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ନିଜ ଅଭିଜ୍ଞତା: ଜାଣନ୍ତୁ, କହିଲେ କ’ଣ? ଦେଲେ କି ପରାମର୍ଶ?…

ଭୁବନେଶ୍ୱର: ରାଜ୍ୟର ସର୍ବ ପ୍ରଥମ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା ଓ ଶୁଶ୍ରୁଷା କରିଥିବା ଭୁବନେଶ୍ୱର କ୍ୟାପିଟାଲରେ କାର୍ଯ୍ୟରତ ସେବିକା ବା ନର୍ସ ସ୍ୱର୍ଣ୍ଣପ୍ରଭା ନାୟକ ଆଜି ବଖାଣିଛନ୍ତି, କୋଭିଡ୍‌-୧୯ ରୋଗୀଙ୍କୁ ତାଙ୍କର ସେବା ପ୍ରଦାନ କାଳର ଅଭିଜ୍ଞତା।

ସେବିକା ସ୍ୱର୍ଣ୍ଣପ୍ରଭା କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ ରାଜ୍ୟର ସର୍ବ ପ୍ରଥମ କରୋନା ବା କୋଭିଡ୍‌-୧୯ ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିବା ରୋଗୀ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଯେତେବେଳେ ମିଳିଲା ସେତେବେଳେ ହସ୍ପିଟାଲର ସମସ୍ତ ସେବିକା ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଥିଲେ। କାରଣ, ସେତେବେଳକୁ ଏହି ରୋଗକୁ ନେଇ ଏତେଟା ଚର୍ଚ୍ଚା ଓ ଆଲୋଚନା ହୋଇ ନଥିଲା କିମ୍ବା ଏତେଟା ସଚେତନତା ମଧ୍ୟ ସୃଷ୍ଟି ହୋଇ ନଥିଲା। କେବଳ, ସମସ୍ତେ ଏତିକି ମାତ୍ର ଜାଣିଥିଲେ ଯେ ଏଇଟି ହେଉଛି ଏକ ଭୟଙ୍କର ମାରାତ୍ମକ ଓ ସଂକ୍ରମକ ରୋଗ। ଏକ ଅଜଣା ଆତଙ୍କରେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ହେଲେ, ପର ମୁହୂର୍ତ୍ତରେ ସମସ୍ତେ ନିଜକୁ ଦୃଢ଼ କରି ନିଜ ନିଜ ମନରେ ସାହାସ ବାନ୍ଧି ନେଇଥିଲେ। କାରଣ, ଆମମାନଙ୍କର ବୃତ୍ତିର ମୂଳ ଧର୍ମ ହିଁ ହେଉଛି ସେବା।

ସେଥିପାଇଁ, ପରବର୍ତ୍ତୀ ସମୟରେ ମୋତେ ଯେତେବେଳେ ସଂପୃକ୍ତ କରୋନା ରୋଗୀଙ୍କ ସେବା, ଶୁଶ୍ରୁଷା କରିବା ପାଇଁ ମନୋନୀତ କରାଗଲା ସେତେବେଳେ ମୁଁ ଆଦୌ ବିଚଳିତ କିମ୍ବା ଭୟଭୀତ ହୋଇ ନଥିଲି। କାରଣ, ସେତେବେଳକୁ ମୁଁ ବି ନିଜକୁ ଦୃଢ଼ କରିବା ସହ ମନରେ ସାହସ ବାନ୍ଧି ସାରିଥିଲି। ତେଣୁ, ଏହାକୁ ଆତଙ୍କ ନୁହେଁ ବରଂ ଏକ ସୌଭାଗ୍ୟ ରୂପେ ବିବେଚନା କରି ନିଜ କାମରେ ଲାଗି ଯାଇଥିଲି। ସଂପୃକ୍ତ କରୋନା ରୋଗୀଙ୍କ ସେବା, ଶୁଶ୍ରୁଷା କରିବା ସହ ତାଙ୍କର ଭାଙ୍ଗି ପଡ଼ିଥିବା ମନୋବଳକୁ ଦୃଢ଼ କରିବାରେ ତାଙ୍କୁ ସହାୟତା କରିଥିଲି। ଫଳରେ ଚିକିତ୍ସା ପରେ ସେ କରୋନାରୁ ଆରୋଗ୍ୟ ଲାଭ କରି ନିଜ ଘରକୁ ସୁସ୍ଥ ହୋଇ ଫେରିଥିଲେ ବୋଲି କହିଛନ୍ତି ସେବିକା ସ୍ୱର୍ଣ୍ଣପ୍ରଭା।

ଉଲ୍ଲେଖଯୋଗ୍ୟ, ଆଜି ସମଗ୍ର ବିଶ୍ୱରେ ନର୍ସିଂ ଡେ’ ପାଳିତ ହେଉଥିବା ବେଳେ ରାଜ୍ୟ ସରକାର ସେବିକା ସ୍ୱର୍ଣ୍ଣପ୍ରଭା ନାୟକଙ୍କୁ ରାଜ୍ୟର ଜଣେ ସଫଳ କରୋନା ଯୋଦ୍ଧା ଭାବେ ଘୋଷଣା କରି ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ସେବିକା ସ୍ୱର୍ଣ୍ଣପ୍ରଭା ରାଜ୍ୟବାସୀଙ୍କୁ କରୋନାକୁ ନେଇ ଆଦୌ ବିଚଳିତ କିମ୍ବା ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦି ଆମେ ସଚେତନ ଓ ସତର୍କ ରହିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ନିୟମିତ ଭାବେ ହାତ ଧୋଇବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନୀତି ନିୟମ ସବୁକୁ ମାନି ଚଳିବା ତେବେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଠାରୁ ଆମେ ଆମ ନିଜକୁ, ପରିବାରକୁ ଓ ସମାଜକୁ ଦୂରେଇ ରଖି ପାରିବା।

ସମ୍ବନ୍ଧିତ ଖବର