ନର୍ସଙ୍କୁ ସିନିୟର ଫାର୍ମାସିଷ୍ଟଙ୍କ ଯୌନ ଶୋଷଣ, ବଡ଼ଗାଁ ଥାନାରେ ପୀଡ଼ିତାଙ୍କ ଏତଲା   

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୁନଗାଁ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ମହିଳା କର୍ମଚାରୀ (ଏଏନଏମ)ଙ୍କୁ ସେହ କେନ୍ଦ୍ରର ସିନିୟର ଫାର୍ମାସିଷ୍ଟ ଅବନୀକାନ୍ତ ବେହେରା ଅଶ୍ଲୀଳ ଇଙ୍ଗିତ କରିବା ସହ ଖୋଲାଖୋଲି ଯୌନ ଆବେଦନ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ବଡ଼ଗାଁ ଥାନାଦରେ ଏତଲା ଦେଇଛନ୍ତି। ଆସନ୍ତାକାଲି ସେ ଏ ସମ୍ପର୍କରେ ସିଡିଏମଓଙ୍କୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି। କର୍ମ କ୍ଷେତ୍ରରେ ଅଧସ୍ତନ ମହିଳା କର୍ମଚାରୀଙ୍କୁ ବରିଷ୍ଠ କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ମହିଳା କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ସେ ମେ’ ୩ ତାରିଖରେ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ। ଡାକ୍ତର ନଥିବା ଓ ସେ ଏକ ମାତ୍ର ମହିଳା କର୍ମଚାରୀ ଭାବେ ସେଠାରେ ସେ କାମ କରୁଥିବାରୁ ସିନିୟର ଫାର୍ମାସିଷ୍ଟ ତାଙ୍କୁ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ ସହ ଅଶ୍ଲୀଳ ଭାଷା ପ୍ରୟୋଗ କରି ଆସୁଛନ୍ତି। ତାଙ୍କ ସହ ସମ୍ପର୍କ ରଖିବାକୁ ବାରମ୍ବାର ଚାପ ପ୍ରୟୋଗ କରୁଛନ୍ତି। ଛୁଟି ପରେ ଘରକୁ ଗଲେ ମୋବାଇଲ୍ରେ କଲ୍ ଓ ମେସେଜ କରି ପ୍ରେମ ନିବେଦନ କରୁଥିବା ଏହି ଫାର୍ମାସିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ନଥିବା ବେଳେ ତାଙ୍କୁ ଅସଦାଚରଣ କରିଥିବା ମହିଳା ସ୍ପଷ୍ଟ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ତାଙ୍କ କଥାରେ ରାଜି ନହେଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବା, ଦରମା ବନ୍ଦ କରି ଜୀବନକୁ ବରବାଦ କରିଦେବେ ବୋଲି ଧମକ ଦେଉଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ କର୍କଟ ପୀଡ଼ିତା ମା’ଙ୍କ ସେବା କରୁଥିବା ମହିଳା କର୍ମଚାରୀ ଫାର୍ମାସିଷ୍ଟଙ୍କ ଆଚରଣରେ ଭାଙ୍ଗି ପଡ଼ିଥିବା ପ୍ରକାଶ କରି ତୁରନ୍ତ ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି। ଅଭିଯୋଗ ପରେ ଓଡ଼ିଶା ପ୍ରଗତି ଦଳର ଜିଲ୍ଲା ସଭାପତି ପ୍ରଫୁଲ୍ଲ ରୋହିଦାସ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର