ଜଟଣୀ/ଖୋର୍ଦ୍ଧା: ନର୍ସିଂ ଏକ ବୃତ୍ତି ନୁହେଁ, ଏହା ଏକ ଧର୍ମ। ହାତରେ ଇଞ୍ଜେକ୍ସନ୍ ଓ ସାଲାଇନ୍ ଧରି ଜଣେ ନର୍ସଟିଏ ରୋଗୀକୁ କେବଳ ଔଷଧଜନିତ ଉପଶମ ଦିଏ ନାହିଁ, ବରଂ ରୋଗୀର ଜୀବନକୁ ସ୍ପର୍ଶ କରେ। ତେଣୁ ସେବିକାଙ୍କ ଜନସେବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ସହିତ ସମାନ। ଜଟଣୀ ତରାବୋଇସ୍ଥିତ କେଏମ୍ବିବି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କ୍ୟାମ୍ପସ୍ରେ ବିଏସ୍ସି ନର୍ସିଂ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେୟାର ହସ୍ପିଟାଲ୍ର ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ମଧୁମେହ ବିଶେଷଜ୍ଞ ଡା. ଉତ୍କଳ କେଶରୀ ଖାଡ଼ଙ୍ଗା ଏହା କହିଛନ୍ତି। ଏହି ବୃତ୍ତିର ଗୁରୁତ୍ବ ଓ ମହତ୍ତ୍ବକୁ ଉପଲବ୍ଧି କରାଇବାକୁ ଯାଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ଧୈର୍ଯ୍ୟ, ବିଶ୍ବସନୀୟତା ଓ ସମର୍ପଣ ଆଦି ୫ଟି ଗୁଣକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଏ ବୃତ୍ତିରେ ଆପଣମାନେ ରୋଗୀକୁ ଜୀବନ ଦିଅନ୍ତି, ତେଣୁ ଗର୍ବର ସହିତ ଏ ବୃତ୍ତି ସହିତ ଯୋଡ଼ି ହେବାକୁ ଡା. ଖାଡ଼ଙ୍ଗା ନବାଗତଙ୍କୁ କହିଛନ୍ତି।
କେଏମ୍ବିବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଚେୟାରମ୍ୟାନ୍ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ କୁମାର ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ସେବାକୁ ଏକ ଯାଦୁ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ, ଏହି ଯାଦୁ ବଳରେ ରୋଗୀଟିଏ ଖୁସି ଓ ଆନନ୍ଦିତ ହୁଏ। ଏ କଳାରେ ସଭିଏ ନିପୁଣ ହେବା ଉଚିତ। ବେଳେବେଳେ ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ରୋଗୀଟିର ମୃତ୍ୟୁ ହେଲା ଭଳି ଅତି ଦାରୁଣ ଖବର ଆମକୁ ବ୍ୟଥିତ କରୁଛି। ସେଥିରୁ ନର୍ସିଂ ଛାତ୍ରଛାତ୍ରୀମାନେ ବିରତ ରହିବା ଉଚିତ। ତେଣୁ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ପ୍ରଥମେ ପୁସ୍ତକଗତ ବିଦ୍ୟା, ତା’ପରେ ଅନୁକରଣ ଓ ତୃତୀୟ ପାଦରେ ପ୍ରତ୍ୟକ୍ଷ ଅନୁଭବ ନେଇ କାର୍ଯ୍ୟ କରିବାକୁ ସିଡିଏମ୍ଓ ଡା. ରାୟ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, ଏ ବୃତ୍ତିରେ ସଫଳତା ହାସଲ କରିବା କଷ୍ଟକର ବ୍ୟାପାର। ଏଥିପାଇଁ ଚାପ ବି ରହିବ। ଦରକାର ପଡ଼ିଲେ ରାତି ଅନିଦ୍ରା ଭଳି ପରିସ୍ଥିତି ବି ଉପୁଜିବ। ତଥାପି ନିଜର ଶାରୀରିକ ଓ ମାନସିକ ସ୍ଥିତିକୁ ମଜଭୁତ କରି ଏଥିରେ ଆଗେଇବାକୁ ସେ ପରାମର୍ଶ ଦେଇଛନ୍ତି। ସଭାପତିତ୍ବ ଭାଷଣରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସେବା ବୃତ୍ତି ପ୍ରତି ଯଦି ଛାତ୍ରଛାତ୍ରୀମାନଙ୍କର ମନୋବୃତ୍ତି ମେଳ ନ ଖାଇବ, ତେବେ ନର୍ସିଂ ବୃତ୍ତି ସଫଳ ହେବ ନାହିଁ। ଏହି ବୃତ୍ତି ପାଇଁ ଯାହା ସବୁ ଲୋଡ଼ା ସବୁ କିଛି କ୍ୟାମ୍ପସ୍ରେ ଯୋଗାଇ ଦେବାକୁ ଚେଷ୍ଟା କରାଯିବ। କିନ୍ତୁ ତାକୁ ମନଯୋଗର ସହିତ ଶତ ପ୍ରତିଶତ ଉପଯୋଗ କରିବାର ଦାୟିତ୍ବ ତୁମମାନଙ୍କର ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଅନୁଷ୍ଠାନର ନିର୍ଦ୍ଦେଶକ (ପ୍ରଶାସନିକ) ପ୍ରଫେସର ସରୋଜ କୁମାର ପଣ୍ଡା, ନିର୍ଦ୍ଦେଶକ (ଏକାଡେମିକ୍) ବିଜୁନି ଚରଣ ସୂତାର ଯୋଗଦେଇ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ପ୍ରଫେସର ବନାନି ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ପୁଷ୍ପାଞ୍ଜଳି ମଲ୍ଲିକ ଧନ୍ୟବାଦ ଦେଇଥିଲେ। କେଏମ୍ବିବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଉପାଧ୍ୟକ୍ଷା ସୁଦତ୍ତା ପଟ୍ଟନାୟକ, ଗୀତାଞ୍ଜଳି ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, କେଏମ୍ବିବି ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଅମରନାଥ ନାୟକଙ୍କ ସମେତ ନବାଗତ ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/untitled-10-2025-10-27-06-20-21.jpg)