ଖୋର୍ଦ୍ଧା: ନର୍ସିଂ ବୃତ୍ତି ଅନ୍ୟଠୁ ସ୍ବତନ୍ତ୍ର। ମଣିଷର ଯନ୍ତ୍ରଣାକୁ ଲାଘବ କରାଇବାର ଯେଉଁ ପ୍ରତ୍ୟକ୍ଷ ସମ୍ପୃକ୍ତି ଏହି ବୃତ୍ତିରେ ଅଛି, ତାହା ଅନ୍ୟ କେଉଁଥିରେ ନାହିଁ। ଭେଷଜ ଚିକିତ୍ସା ବ୍ୟବସ୍ଥାରେ ନର୍ସମାନେ କେବଳ ଯେ ମଣିଷର ଏହି ଗୁରୁ ଦାୟିତ୍ବକୁ ତୁଲାଉ ନାହାନ୍ତି, ବରଂ ଭେଷଜ ଚିକିତ୍ସା ବିଜ୍ଞାନରେ କିଛି ନୂତନ ଉଦ୍ଭାବନ ଏବଂ ଆବିଷ୍କାରରେ ବି ନର୍ସଙ୍କ ବଡ଼ ଭୂମିକା ରହିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳସ୍ଥିତ ଆଫିନିଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଓରିଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଫେସର ପ୍ରଦୀପ କୁମାର ଜେନା ଏହା କହିଛନ୍ତି। ଭେଷଜ ଚିକିତ୍ସା ବିଜ୍ଞାନରେ ନର୍ସମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ସେ ଅବତାରଣା କରିବା ସହ ସବୁ ପ୍ରକାର ଆହ୍ବାନ ଭିତରେ ବି ଏହି ବୃତ୍ତିକୁ ଆପଣାଇଥିବାରୁ ବିଦ୍ୟାର୍ଥୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
ଆଫିନିଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
କେଏମ୍ବିବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ସହଯୋଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଏମ୍ବିବି ଗ୍ରୁପ୍ର ମୁଖ୍ୟ ତଥା ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବାଗତ ବିଦ୍ୟାର୍ଥୀଙ୍କୁ ସହନଶୀଳ ହେବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ନର୍ସିଂ ବୃତ୍ତି ଏକ ସାଧାରଣ ବୃତ୍ତି ନୁହେଁ। ରୋଗରେ ଜର୍ଜରିତ ପ୍ରତ୍ୟେକ ରୋଗୀ ଏହି ବୃତ୍ତିଧାରୀଙ୍କ ସହିତ ମୁହାଁମୁହିଁ ହୁଅନ୍ତି। କେଏମ୍ବିବି ଗ୍ରୁପ୍ର ନିର୍ଦ୍ଦେଶକ(ଏକାଡେମିକ୍) ବିଜୁନି ଚରଣ ସୂତାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବାରୋପ କରିବା ସହିତ ଏଠାରୁ ନିଜର ଡିଗ୍ରି ହାସଲ କରି କର୍ମକ୍ଷେତ୍ରରେ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହେବାକୁ ବିଦ୍ୟାର୍ଥୀଙ୍କୁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଦେଶକ(ପ୍ରଶାସନ) ସରୋଜ ପଣ୍ଡା, କଲେଜର ପ୍ରିନ୍ସିପାଲ ବନାନି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବୟଂପ୍ରଭା ନାୟକ ଧନ୍ୟବାଦ ଦେଇଥିଲେ।