ନବରଙ୍ଗପୁର/ରାଇଘର: ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଇଘରରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଗୋଟିଏ ପଟେ ବିଜେଡି ୧୨ ଘଣ୍ଟିଆ ରାଇଘର ବନ୍ଦ ପାଳନ କରିଥିଲା ବେଳେ ବଙ୍ଗୀୟ ସମାଜ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲା। ସୋମବାର ଦିନତମାମ ଆମ୍ବୁଲାନ୍ସରୁ ମୃତଦେହ ଓହ୍ଲାଇବାକୁ ଦିଆଯାଇ ନଥିଲା। ଯାହାଫଳରେ ଦିବଙ୍ଗତ ଛାତ୍ରୀଙ୍କ ଜନ୍ମମାଟି ଡୁମୁରିମୁଣ୍ଡାରେ ଚାପା ଉତ୍ତେଜନା ଲାଗି ରହିଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ଗାଁ ଶ୍ମଶାନରେ ମୃତ ଛାତ୍ରୀଙ୍କ ଶେଷକୃତ୍ୟ ହୋଇଥିବା ସୂଚନା ମିଳିଛି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ରାଇଘର ଓ ଡୁମୁରିମୁଣ୍ଡାରେ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।

Advertisment

ବିଜେଡିର ରାଇଘର ବନ୍ଦ ସଫଳ
୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆଜି ସକା‌ଳ ସାଢ଼େ ୪ଟାରେ ଡୁମୁରିମୁଣ୍ଡାରେ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟିଥିଲା। ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ୍ ଓ ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବର ସ୍ଥିତି ଉପରେ ନଜର ରଖିଥିଲେ। ତେବେ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାରକୁ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରାଇଘର ବ୍ଲକ୍‌ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ଯତୀନ୍ଦ୍ର ଗଣ୍ଡ, ଶୁକଦେବ ଗଣ୍ଡ, ସରପଞ୍ଚ ଚରଣ ଗଣ୍ଡ, କଂଗ୍ରେସ ନେତା ମୁନା ତ୍ରିପାଠୀ, କ୍ଷେମରାଜ ବାଘ, ସମାଜସେବୀ କାଦମ୍ବିନୀ ତ୍ରିପାଠୀ, ହାରାବତୀ ଗଣ୍ଡ ପ୍ରମୁଖ ଦାବି କରିଥିଲେ। ସେହିପରି ବଙ୍ଗୀୟ ସମାଜ ପକ୍ଷରୁ ୫୦ ଲକ୍ଷ କ୍ଷତିପୂରଣ ସହ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିଥିବା ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସରୁ ଶବ ଓହ୍ଲାଯିବ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଥିଲେ।

ପୂର୍ବ ଘୋଷଣା ଅନୁସାରେ ବିଜେଡି ରାଇଘର ମୁଖ୍ୟ ବଜାରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଥିଲା। ଅପରାହ୍ନରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ଗାଁରେ ପହଞ୍ଚି ଛାତ୍ରୀଙ୍କ ପରିବାର ସହ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ୧ ଲକ୍ଷ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଚିକିତ୍ସା ବାବଦ ଖର୍ଚ୍ଚ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ, ଆବାସ ଯୋଜନାରେ ଅନୁଦାନ, ଛାତ୍ରୀଙ୍କ ଭାଇଙ୍କୁ ଆର୍‌ଏମ୍‌ସିରେ ଅସ୍ଥାୟୀ ଚାକିରି ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରେଡ୍‌କ୍ରସରୁ ୩୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦିଆଯାଇଥିଲା। ପ୍ରତିଶ୍ରୁତି ମିଳିବା ପରେ ପରିବାର ଓ ଗ୍ରାମବାସୀ ଶେଷକୃତ୍ୟ ଲାଗି ରାଜି ହୋଇଥିଲେ।