କଳାବ୍ୟାଜ୍‌ ପିନ୍ଧିଲେ ନର୍ସିଂ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫନର୍ସମାନେ ସେମାନଙ୍କ ପ୍ରତି ସରକାରଙ୍କ ଅଣଦେଖା ବିରୋଧରେ କଳାବ୍ୟାଜ୍‌ ପରିଧାନ କରିଛନ୍ତି। ନର୍ସମାନଙ୍କ ପକ୍ଷରୁ ରୋଗୀସେବା ଜାରି ରହିଥିବା ବେଳେ ସେମାନଙ୍କ ୧୨ ଦଫା ଦାବିକୁ ସରକାର ଅଣଦେଖା କରୁଥିବା ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ୫ ଦିନ ଧରି ନର୍ସମାନେ କଳାବ୍ୟାଜ୍‌ ପରିଧାନ କରି ସରକାରୀ ନୀତି ବିରୋଧରେ ପ୍ରଦର୍ଶନ କରିବେ। ସରକାର ସେମାନଙ୍କ ଦାବି ପୂରଣ ନକଲେ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ପିଏମ୍‌ଜି ଛକରେ ସାରା ରଜ୍ୟର ନର୍ସମାନେ ଏକତ୍ର ହୋଇ ଜୋରଦାର ଆନ୍ଦୋଳନ କରିବେ ବୋଲି ସୂଚାଇ ଦିଆଯାଇଛି। ଗତ ଅଗଷ୍ଟ ମାସରେ ନର୍ସମାନଙ୍କ ୧୨ ଦଫା ଦାବି ନେଇ ଏକ ରାଜ୍ୟସ୍ତରୀୟ ଦଳ ନର୍ସିଂ ନିର୍ଦେଶକଙ୍କୁ ଦେଖା କରି ତାଙ୍କର ଦାବି ଉପସ୍ଥାପନ କରିଥିଲା। ନିର୍ଦେଶକ ଦାବିପତ୍ର ଗ୍ରହଣ କରିବା ପରେ ଏକ ମାସର ସମୟ ମାଗିଥିଲେ। କିନ୍ତୁ ମାସେ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗତ ୫ ତାରିଖରେ ଏନେଇ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ କରି ନର୍ସମାନେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ। ଶୁକ୍ରବାରଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନର୍ସମାନେ କଳାବ୍ୟାଜ୍‌ ପରିଧାନ କରି କାମ କରିବେ ବୋଲି ବଲାଙ୍ଗୀର ଶାଖାର ସଭାପତି କୌଶଲ୍ୟା ନାଏକ ଓ ସଂପାଦିକା ସବିତା ସେଠ ପ୍ରକଶ କରିଛନ୍ତି।

ସମ୍ବନ୍ଧିତ ଖବର