ନୁର୍ତ୍ତାଙ୍ଗ ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ

ମାହାଙ୍ଗା ଡବଲ୍ ମର୍ଡର ଘଟଣାର ଥିଲେ ଅଭିଯୋଗକାରୀ

ମାହାଙ୍ଗା : ୨୦୨୧, ଜାନୁଆରି ୨ ତାରିଖରେ ମାହାଙ୍ଗାରେ ଘଟିଥିବା ଚାଞ୍ଚଲ୍ୟକର ଡବଲ ମର୍ଡର ଘଟଣାର ଅଭିଯୋଗକାରୀ, ଯୁବନେତା ରମାକାନ୍ତ ବରାଳଙ୍କର ଆକସ୍ମିକ ପରଲୋକ ଘଟିଛି। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତର ଯୁବ ସରପଞ୍ଚ ରମାକାନ୍ତ ବରାଳ (କୁନିଆ) ଶନିବାର ଦିନ ଭୁବନେଶ୍ବରର ଏକ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ଗତ ସପ୍ତାହରୁ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ।

ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗତ କୁଳମଣି ବରାଳଙ୍କ ବଡ଼ପୁଅ ରମାକାନ୍ତ ଜଣେ ସଂଗଠକ ଭାବେ ଜଣାଶୁଣା ଥିଲେ। ସେ ନୃର୍ତ୍ତାଙ୍ଗ ପଞ୍ଚାୟତରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ, ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସମିତି ସଭ୍ୟ ଓ ନୁର୍ତ୍ତାଙ୍ଗ ସମବାୟ ସେବା ସମିତିର ସଭାପତି ଭାବେ କାର୍ଯ୍ୟ କରି ଲୋକପ୍ରିୟତା ହାସଲ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ତାଙ୍କ ମରଶରୀର ଖନ୍ଦୋଳରୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯାଇଥି‌ଲା। ନିଜ ଜମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଅ ଅର୍କଦ୍ୟୁତି ମୁଖାଗ୍ନି ଦେଇଥିଲେ। ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଶୋକ ପ୍ରକାଶ କରିବା ସହ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ଯୁବ ଜନପ୍ରତିନିଧି ଭାବେ ସ୍ବର୍ଗତ ବରାଳଙ୍କ ଲୋକ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୧, ଜାନୁଆରି ୨ ତାରିଖରେ ସରପଞ୍ଚ ରମାକାନ୍ତ ବରାଳଙ୍କ ବାପା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା। ଏହି ଡବଲ୍‌ ମର୍ଡର୍‌ ଘଟଣା‌ ସେତେବେଳେ ରାଜ୍ୟସାରା ଚର୍ଚ୍ଚାର ବିଷୟ ହୋଇଥିଲା। ଉକ୍ତ ଘଟଣାରେ ରମାକାନ୍ତ ମୁଖ୍ୟ ଅଭିଯୋଗକାରୀ ଥିଲେ। ଦିନକ ପରେ ରମାକାନ୍ତଙ୍କ ବାପା କୁଳମଣିଙ୍କ ଶ୍ରାଦ୍ଧୋତ୍ସବ ଓ ତାଙ୍କ ସ୍ମୃତିରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରହିଥିଲା। ହେଲେ, ଶ୍ରାଦ୍ଧୋତ୍ସବ ପୂର୍ବରୁ ରମାକାନ୍ତଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା‌ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର