ଅପପୁଷ୍ଟି: ନଗଡ଼ାକୁ ବି ବଳିଯିବ କଳିଙ୍ଗନଗର; ପୁଅ ମରିଥିଲା, ଏବେ ବିଛଣା ଧରିଛି ୩ବର୍ଷର ଝିଅ

ଯାଜପୁର/ସଦର/ଦାନଗଦି : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଅପପୁଷ୍ଟି ନେଉଛି ଜୀବନ। ୫ ମାସ ପୂର୍ବରୁ ଗୋଟିଏ ପରିବାର ଅପପୁଷ୍ଟି ପାଇଁ ପୁଅକୁ ହରାଇଥିବା ବେଳେ ଏବେ ୩ବର୍ଷର ଝିଅ ବିଛଣା ଧରିଛି। ଅପପୁଷ୍ଟି ଜନିତ ଶିଶୁ ମଡ଼କ ପାଇଁ ୭ବର୍ଷ ପୂର୍ବେ ଜାତୀୟ ସ୍ତରରେ ଅପଖ୍ୟାତି ଅର୍ଜିଥିବା ସୁକିନ୍ଦା ବ୍ଲକ୍‌ର ନଗଡ଼ା ସ୍ଥିତିକୁ ବି ବଳିଯିବାକୁ ବସିଛି କଳିଙ୍ଗନଗର ଅଞ୍ଚଳ। କଳ କାରଖାନା ପାଇଁ ଏଠାରେ ହଜାର ହଜାର କୋଟି ଟଙ୍କାର ବେପାର ହେଉଛି ଅଥଚ ଏହାରି ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକରେ ରୋଗ ଯନ୍ତ୍ରଣାରେ କଲବଲ ହେଉଥିବା ମଣିଷଙ୍କ କଥା ବୁଝିବାକୁ କେହିନାହାନ୍ତି।

ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରଗଡ଼ା- ଘାଟିସାହି ଗ୍ରାମର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ପରିବାର ସାଂଘାତିକ ଅପପୁଷ୍ଟିର ଶିକାର ହୋଇଛନ୍ତି। ବାଙ୍କୁଙ୍କ ପୁଅ ଅର୍ଜୁନ (୨ବର୍ଷ)ର ୫ମାସ ତଳେ ମୃତ୍ୟୁ ଘଟିଥିଲା। ଏବେ ସେମାନଙ୍କ ୩ବର୍ଷର ଝିଅ କୁନି ହେମ୍ବ୍ରମ୍‌ ସାଂଘାତିକ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଥିସହିତ ଝିଅ ଶାନ୍ତି ଏବଂ ପୁଅ ରାଇସିଙ୍ଗା ମଧ୍ୟ ଅପପୁଷ୍ଟିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡିଥିବା ବେଳେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟକ୍ରମ ‌ବିଫଳ ହୋଇଛି। ଏବେ ୮ ଜଣ ପିଲାଙ୍କୁ ନେଇ ଏହି ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବାଙ୍କୁ ଓ ତୁଳସୀଙ୍କ ନିକଟରେ ରାସନକାର୍ଡ ମଧ୍ୟ ନାହିଁ। ଅନ୍ୟାନ୍ୟ ଯୋଜନାରେ ସାମିଲହେବା ଦୂର କଥା। ପିଲାମାନଙ୍କ ଜନ୍ମ ପ୍ରମାଣପତ୍ର, ଆଧାରକାର୍ଡ ହୋଇନଥିବା ବେଳେ ସ୍କୁଲରେ ନାମ ଲେଖାଇଥିଲେ କେହି ବିଦ୍ୟାଳୟକୁ ଯାଉ ନଥିବା ଜଣାପଡ଼ିଛି। ଏହି ଗରିବ ଆଦିବାସୀ ପରିବାର ପାଇଁ ସବୁ ଯୋଜନା ସାତ ସପନ। ଏହି ପରିବାର ଉପରେ ଆଶା, ଅଙ୍ଗନୱାଡି,ଏଏନ୍‌ଏମଙ୍କ ଦୃଷ୍ଟି ପଡ଼ିପାରି ନଥିବା ବେଳେ ରାଷ୍ଟ୍ରୀୟ ବାଲ୍‌ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ସରକାରୀ ପୋଷଣ ଯୋଜନା ଅପହଞ୍ଚ ହୋଇରହିଛି।

ଉଲ୍ଲେଖଯୋଗ୍ୟ ଯେ କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ଏଭଳି ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ରୋଗାକ୍ରାନ୍ତ ଅବସ୍ଥାରେ ଅନେକ ପରିବାର ଦୟନୀୟ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ରଣାଗୁଣ୍ଡି ସମେତ କିଆଝର ପଞ୍ଚାୟତର ଧୂଳିଆପଶି, ଟୁଙ୍ଗେଇଶୁଣି, ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳ ଓ ଠାକୁରାସାହି, ଧୂଳିଗଡ଼ ପଞ୍ଚାୟତର ସୁଆଁଲ, ମୁଣ୍ଡାସାହି ଆଦି ଆଦିବାସୀ ବସ୍ତିରେ ଶିଶୁମାନେ ବିପଦରେ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର