ପୁରୀ: ଗର୍ଭବତୀ, ପ୍ରସୂତି ମହିଳା ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ। ପୁଷ୍ଟିହୀନତା ଭଳି ରୋଗ ଦୂର ପାଇଁ ସମାଜ ମଙ୍ଗଳ ବିଭାଗ ଜରିଆରେ ରାଜ୍ୟ ସରକାର ଏହି ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେଉଛନ୍ତି। ପିଲାଙ୍କୁ ଛତୁଆ, ସୁଜି, ଅଣ୍ଡା ଭଳି ଖାଦ୍ୟ ଯୋଗାଉଛନ୍ତି ରାଜ୍ୟ ସରକାର। କିନ୍ତୁ ପୁରୀ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଦୁଇ ତିନି ମାସ ହେଲାଣି କୌଣସି ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଦିଆଯାଉନି। ସେପଟେ ଅଣ୍ଡା ଦର ବଢ଼ିଛି କହି ଅଙ୍ଗନବାଡ଼ି କର୍ମୀମାନେ କେତେବେଳେ ମାସକୁ ୮ଟି ତ କେତେବେଳେ ୧୦ଟି ଅଣ୍ଡା ଦେଉଛନ୍ତି। ଏପରିକି କେତେକ ଅଙ୍ଗନବାଡ଼ି କେନ୍ଦ୍ରରେ ବିଲ୍କୁଲ୍ ଅଣ୍ଡା ଦିଆଯାଉନାହିଁ। ଫଳରେ ଗର୍ଭବତୀ ଓ ପିଲାମାନଙ୍କୁ ରାଜ୍ୟ ସରକାରଙ୍କ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ ଯୋଜନା ଦିଗହରା ହୋଇଛି। ସମାଜ ମଙ୍ଗଳ ବିଭାଗ କହିବା କଥା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଗହମ ଯୋଗାଣ ହେଉଥିଲା, ତାହା ବନ୍ଦ ହୋଇଯାଇଛି।ଯେଉଁଥିପାଇଁ ଛତୁଆ ଯୋଗାଣ ବନ୍ଦରହିଛି। ସେପଟେ ଅଣ୍ଡା ଦର ବୃଦ୍ଧି କାରଣରୁ ମାସିକ ଧାର୍ଯ୍ୟ ୧୨ଟି ଅଣ୍ଡା ଦେବା ବି ସମ୍ଭବ ହେଉନି।
ପୁରୀ ଜିଲ୍ଲାରେ ୨ହଜାର ୫୨୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ବ୍ଲକ୍ୱାରି ନଜର ପକାଇଲେ, ୧୭୮ଟି, କାକଟପୁରରେ ୧୮୨ଟି, ବ୍ରହ୍ମଗିରିରେ ୨୦୦ଟି, ପୁରୀ ସଦରରେ ୨୬୯ଟି, ପୁରୀ ପୌରପାଳିକାରେ ୮୦ଟି, ସତ୍ୟବାଦୀରେ ୧୬୫ଟି, ଡେଲାଙ୍ଗରେ ୧୭୯ଟି, କଣାସରେ ୨୮୫ଟି, ଗୋପରେ ୨୮୭ଟି, କୃଷ୍ଣପ୍ରସାଦରେ ୧୩୪ଟି, ନିମାପଡ଼ାରେ ୩୭୯ଟି, ପିପିଲିରେ ୨୬୧ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଜନ୍ମରୁ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଛତୁଆ, ଅଣ୍ଡା, ସୁଜି ଆଦି ଯୋଗାଇ ଦିଆଯାଉଛି। ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ ବର୍ଷ ପିଲାଙ୍କୁ ବାର ଅନୁସାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିଭଳି ଗର୍ଭବତୀ ଓ ପ୍ରସୂତିଙ୍କୁ ବାଦାମ ଲଡ଼ୁ, ରାଶି ଲଡ଼ୁ, ଖଜରା, ବୁଟ, ମୁଢ଼ି, ହଳଦିଆ ଛତୁଆ ଆଦି ଯୋଗାଇ ଦିଆଯାଉଛି। ଗର୍ଭବତୀଙ୍କୁ ଛୁଆ ଜନ୍ମ ପର୍ଯ୍ୟନ୍ତ ଓ ପ୍ରସୂତିଙ୍କୁ ଛୁଆ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଏହା ଦିଆଯାଉଛି। କିନ୍ତୁ ସେ ପ୍ରସୂତି ହୁଅନ୍ତୁ କି ଗର୍ଭବତୀ, କାହାରିକୁ ଛତୁଆ ମିଳୁନି। ସେହିଭଳି ପିଲାମାନଙ୍କୁ ଛତୁଆ ବି ମିଳୁନି। ଧାର୍ଯ୍ୟ ମୁତାବକ ଅଣ୍ଡା ବି ମିଳୁନି।
ପୁରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ କହିଛନ୍ତି, ଦୁଇ ମାସ ହେଲାଣି କେନ୍ଦ୍ର ସରକାରଙ୍କଠାରୁ ଗହମ ଯୋଗାଣ ବନ୍ଦ ରହିଛି। ଏଣୁ ଡିସେମ୍ବର ଓ ଜାନୁଆରି, ଏଭଳି ଦୁଇମାସ ଜିଲ୍ଲାରେ ଛତୁଆ ଦିଆଯାଇନି। ଏହା କେବଳ ପୁରୀ ଜିଲ୍ଲା ସ୍ଥିତି ନୁହେଁ, ସାରା ରାଜ୍ୟର ସମାନ ସ୍ଥିତି। ଏବେ ଗହମ ଆସିଲାଣି। ଫେବ୍ରୁଆରି ମାସର ଛତୁଆ ଆମେ ମାର୍ଚ୍ଚ ପହିଲାରେ ଦେବାକୁ ଯୋଜନା କରିଛୁ। ପରେ ଡିସେମ୍ବର ଓ ଜାନୁଆରି ମାସର ବକେୟା ଛତୁଆ ପ୍ରଦାନ କରାଯିବ। ଅଣ୍ଡା କଥାରେ ଶ୍ରୀମତୀ ରଥ କହିଛନ୍ତି, ଆମେ କାହାରିକୁ କମ୍ ଅଣ୍ଡା ଦେବାକୁ କହିନୁ କି କାହାରିକୁ ଚିଠି କରାଯାଇନି। କିନ୍ତୁ ଅଣ୍ଡା ଦର ୭ରୁ ୮ ଟଙ୍କାରେ ଅଙ୍ଗନବାଡ଼ି କେନ୍ଦ୍ରମାନେ କିଣୁଛନ୍ତି। ମିଳୁଛି ଅଣ୍ଡା ପିଛା ମାତ୍ର ୫.୫୦ ଟଙ୍କା। ଏଣୁ ମୋଟ୍ ଯେତିକି ଟଙ୍କା ମିଳୁଛି, ତାହାକୁ ଭାଗ କରି ବର୍ଦ୍ଧିତ ଅଣ୍ଡା ଦରରେ ଯେତିକି ଅଣ୍ଡା କିଣି ପାରୁଛନ୍ତି, ସେତିକି ଅଣ୍ଡା ଅଙ୍ଗନବାଡ଼ି ଦିଦିମାନେ ଦେଉଛନ୍ତି। ଦର କମିବା ପରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀମତୀ ରଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/eggs.jpg)