ସମ୍ବଲପୁର : ମହୁଲ ଫୁଲରୁ ମାଦକ ଦ୍ରବ୍ୟ ପରିବର୍ତ୍ତେ ପ୍ରସ୍ତୁତ ହେବ ପୁଷ୍ଟିକର ଖାଦ୍ୟ। ଆଉ ଏହା ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ନିମନ୍ତେ ରୋଜଗାର ବାଟ ଦେଖାଇବ। ସମ୍ବଲପୁର ବିଶ୍ବବିଦ୍ୟାଳୟ ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟି ସାଧନ ବିଭାଗ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି।
ଶନିବାର ଦିନ ସମ୍ବଲପୁର ବନଖଣ୍ଡ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟି ସାଧନ ବିଭାଗ ମିଳିତ ସହଯୋଗରେ ଚାରିଦିନିଆ ତାଲିମ ଅନୁଷ୍ଠିତ ହୋଇଛି। ମହୁଲ ଫୁଲ, ସଜନା ଏବଂ ଆମ୍ବର ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ତାଲିମ ଦିଆଯାଉଛି। ବିଶେଷକରି ତାଲିମ ଶିବିରର ମହୁଲ ଫୁଲରୁ ମାଦକ ଦ୍ରବ୍ୟ ପରିବର୍ତ୍ତେ ପୁଷ୍ଟକର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯାଉଛି।
ଉଦ୍ଘାଟନ ଉତ୍ସବରେ ସମ୍ବଲପୁର ଡିଏଫ୍ଓ ବିଶ୍ବନାଥ ନିଲନ୍ନଭର, ପ୍ରଫେସର ପ୍ରଦୀପ ନାଏକ, ପ୍ରଫେସର ସଂଯୁକ୍ତା ଦାସ, ଡ.ଅପରାଜିତା ପ୍ରିୟଦର୍ଶିନୀ, ତାଲିମ ସଂଯୋଜକ ପ୍ରଫେସର ସଂଜତ କୁମାର ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ। ଓଏଫ୍ଏସ୍ଡିପି ପ୍ରକଳ୍ପ କର୍ମଚାରୀଙ୍କ ସହିତ ୫ଟି ବନ ସୁରକ୍ଷା ସମିତିର ୫୦ ଜଣ ସଦସ୍ୟା ତାଲିମ ଶିବିରରେ ସାମିଲ ହୋଇଛନ୍ତି।