ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ପେଣ୍ଠକଟା ଓ ତାଳବଣିଆରେ ବାତ୍ୟା ପୀଡିତଙ୍କୁ ଭେଟିବେ

ଭୁବନେଶ୍ୱର: ବାତ୍ୟା ଫୋନି ଚାଲିଯାଇଛି, କିନ୍ତୁ କିଛି ଘଣ୍ଟାର ରହଣି ମଧ୍ୟରେ ରାଜ୍ୟର ମେରୁଦଣ୍ଡ ଦୋହଲାଇ ଦେଇ ଯାଇଛି । ଖାସକରି ପୁରୀ ଓ ଭୁବନେଶ୍ୱରରେ ବାତ୍ୟା ଫୋନି ଏମିତି ତାଣ୍ଡବ ରଚିଛି ଯେ, ନ ଦେଖିବା ଲୋକ କେବେ ବିଶ୍ୱାସ କରିବ ନାହିଁ । ପୂରା ଶ୍ରୀକ୍ଷେତ୍ର ଏବେ ଅନ୍ଧକାରମୟ ହୋଇ ଉଠିଛି । କେଉଁଠି କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର କଳନା କରିବା ଏବେ ମୁସ୍କିଲ ହୋଇ ପଡିଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଉଛନ୍ତି । ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରିବେ ନବୀନ । ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବେ ।

ବାତ୍ୟା ଫୋନି ବିଦାୟ ନେବା ପରେ ଗତକାଲି ଆକାଶମାର୍ଗରୁ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗସ୍ତ କରିବା ପୂର୍ବରୁ ବାତ୍ୟା ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ ।

ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତଙ୍କୁ ମିଳିବ ମାଗଣା ଚାଉଳ, ପଲିଥିନ୍ ଓ ଟଙ୍କା । ତେବେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ବାସିନ୍ଦାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ୫୦ କିଲୋ ଚାଉଳ ସହ ପଲିଥିନ୍ ଏବଂ ୨ ହଜାର ଟଙ୍କା । ଏଥିସହ ଖୋର୍ଦ୍ଧାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ୧ ହଜାର ଟଙ୍କା ସହ ମାସକ ପାଇଁ ଚାଉଳ ଓ ପଲିଥିନ୍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି କଟକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ାରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ୫ ଶହ ଟଙ୍କା ଏବଂ ଅତିରିକ୍ତ ମାସକ ପାଇଁ ଚାଉଳ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସେହିପରି ବାତ୍ୟା ‘ଫୋନି’ରେ ପ୍ରଭାବିତ ସମସ୍ତ ଜିଲ୍ଲାବାସୀଙ୍କୁ ଏକମାସର ଅତିରିକ୍ତ ପେନସନ୍ ସହ ରିଲିଫ୍ କୋଡ୍ ଅନୁଯାୟୀ, ଘର ନିର୍ମାଣ ପାଇଁ ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର । ତେବେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୯୫ ହଜାର ୧୦୦ଟଙ୍କା , ଆଶିଂକ କ୍ଷତିଗ୍ରସ୍ତଙ୍କ ପାଇଁ ୫ ହଜାର ୨୦୦ ଟଙ୍କା, କିଛି ମାତ୍ରାରେ କ୍ଷତି ହୋଇଥିବା ଘର ପାଇଁ ୩ ହଜାର ୨୦୦ଟଙ୍କା ଯୋଗାଇ ଦିଆଯିବ ।

ସମ୍ବନ୍ଧିତ ଖବର