ବାରଙ୍ଗ: ନରଣପୁରସ୍ଥିତ କେଏମ୍ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ‘ଆମନ୍ତ୍ରଣ -୨୦୨୪’ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, ଯୁବ ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ‘ସମ୍ବାଦ’ର ସଂପାଦକ ତଥା ସମ୍ବାଦ ଶିକ୍ଷାନୁଷ୍ଠାନ ସମୂହର ଟ୍ରଷ୍ଟି ତନୟା ପଟ୍ଟନାୟକ ଓ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେଏମବିବି ବିଦ୍ୟାଳୟର ପରିବେଶ ତାଙ୍କୁ ତାଙ୍କ ଛାତ୍ର ଜୀବନର ଆବାସିକ ବିଦ୍ୟାଳୟ ପରିବେଶ କଥା ମନେ ପକାଇ ଦେଇ ଭାବବିହ୍ବଳ କରିଛି ବୋଲି କହିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ, ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ନିଜ ଅନୁଭୂତିକୁ ନବାଗତଙ୍କୁ ଜଣାନ୍ତୁ। ଏହି ପରଂପରା ଆଗକୁ ଜାରିରହୁ। ବ୍ୟାବସାୟିକ ଶିକ୍ଷା ଅନୁଷ୍ଠାନ ଭାବେ ନିଜକୁ ନଗଢ଼ି କେଏମ୍ବିବି ନିମ୍ନ ମଧ୍ୟବିତ୍ତ ପିଲାଙ୍କ ଭବିଷ୍ୟତ ଗଠନ ଲାଗି ଯେପରି ବୃତ୍ତିଗତ, ଶାରୀରିକ ଓ ମାନସିକ ଶିକ୍ଷାଦାନର ପ୍ରୟାସ କରୁଛି ତାହା ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିଲେ। ଗୀତାଦାନ, ରକ୍ତଦାନ ଓ ବୃକ୍ଷ ରୋପଣ ପାଇଁ ସେ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସଫଳତାର ଦିଗ୍ଦର୍ଶନ ଦେବାକୁ ଯାଇ କହିଥିଲେ, ଦୁନିଆରେ କେହି ଗରିବ ନୁହେଁ। ମନର ଦୃଢ଼ତା ନଥିବା, ଇଛାଶକ୍ତି ନଥିବା ମଣିଷ ନିଜକୁ ଗରିବ କରିଦିଏ।
ନିଜକୁ ଦରିଦ୍ର ନ ଭାବି, ମନ ଉଣା ନକରି, ଅଭାବ ଅସୁବିଧାକୁ ଖାତିର ନକରି ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଦୃଢ଼ ପ୍ରୟାସ କଲେ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ଉଜ୍ଜ୍ବଳ କରିପାରିବେ। ରକ୍ତଦାନର ମହତ୍ବ ସଂପର୍କରେ ମଧ୍ୟ ସେ କହିଥିଲେ। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ, ସଫଳ ହେବା ପାଇଁ ହେଲେ ସତର୍କ ରହିବା ଅବଶ୍ୟକ। ପ୍ରତିଟି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ପିଲାଙ୍କ ବ୍ୟକ୍ତିଗତ ବିକାଶ ଉପରେ ସମାଜର ବିକାଶ ମଧ୍ୟ ନିର୍ଭର କରୁଛି ବୋଲି ସେ କହିଥିଲେ। ସେହିପରି ‘ସମ୍ବାଦ’ର ସଂପାଦକ ତଥା ସମ୍ବାଦ ଶିକ୍ଷା ସମୂହର ଟ୍ରଷ୍ଟି ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ, ବିଗତ ବର୍ଷମାନଙ୍କରେ ଛାତ୍ରଛାତ୍ରୀମାନେ ଯେଉଁଭଳି ଶୈକ୍ଷିକ ପରିବେଶକୁ ଆପଣେଇ ଶୃଙ୍ଖଳିତ ରହି ନିଜର ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିଆସିଛନ୍ତି, ସେଭଳି ଆଗକୁ କରିବେ ବୋଲି ତାଙ୍କର ବିଶ୍ବାସ ରହିଛି। ସେହିପରି ସମ୍ବାଦ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା ପିଲାମାନଙ୍କୁ ଲକ୍ଷ୍ୟ ହାସଲ କରିବା ଦିଗରେ ମନୋନିବେଶ କରିବାକୁ କହିଥିଲେ। ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ କେଏମ୍ବିବି ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନୀ ଚରଣ ସୂତାର, ଧନ୍ୟବାଦ ଦେଇଥିଲେ ଉପାଧ୍ୟକ୍ଷ ସୀତାଂଶୁ ଶେଖର ରାଉତ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ପୁରାତନ ଛାତ୍ର ହାସ୍ୟ ଅଭିନେତା ବଣ୍ଟି।