ରାସ୍ତା, ପାଣି ପାଇଁ ପାଣ୍ଠି ଖୋଲିଦେଲେ: ୧୯ ହଜାର କୋଟିର ଅତିରିକ୍ତ ବଜେଟ୍‌କୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ରେ ୨୪ ପ୍ରସ୍ତାବକୁ ଅନୁମୋଦନ, ୧୮୦୦ କୋଟିରେ ୧୨ ମେଗା ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପୂରା ଦମ୍‌ରେ ପ୍ରସ୍ତୁତ ହେଉଛନ୍ତି। ଆଜିର କ୍ୟାବିନେଟ୍‌ ବୈଠକରୁ ତାହା ସ୍ପଷ୍ଟ ବାରି ହୋଇପଡ଼ିଛି। ଗ୍ରାମାଞ୍ଚଳରେ ରାସ୍ତା, ପିଇବା ପାଣି, ପୋଲ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ପାଣ୍ଠି ଖୋଲିଦେଇଛନ୍ତି। ପାନୀୟ ଜଳ ପାଇଁ ୧୮୦୦ କୋଟିର କାର୍ଯ୍ୟାଦେଶ ଦେଇଥିଲା ବେଳେ ରାସ୍ତା ପାଇଁ ୨୦୦୦ କୋଟି, ପୋଲ ପାଇଁ ୫୧୮୨ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଓ ଭିତ୍ତିଭୂମିକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଏହି ମୌଳିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସହ ମୋଟ୍‌ ୨୪ଟି ପ୍ରସ୍ତାବ ଆଜିର କ୍ୟାବିନେଟ୍‌ରେ ପାରିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ କ୍ୟାବିନେଟ୍‌ ବୈଠକ ହୋଇଥିଲା। ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫ‌ରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ। ‘ଜଳ ଜୀବନ ମିସନ୍’(ଜେଜେଏମ୍)ରେ ୬ଟି ଜିଲ୍ଲା ପାଇଁ ୧୨ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେବା ସହ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅନୁମତି ଦେଇଛି।

ଏହି ଯୋଜନାରେ କୋରାପୁଟ ଜିଲ୍ଲାରେ ତିନିଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଗୋଟିଏ ଟେଣ୍ଡର୍‌ ଡକାଯାଇଥିଲା। ଏଥିରେ ୪୬୨ କୋଟି ୪୮ ଲକ୍ଷ ୬୮ ହଜାର ଟଙ୍କାର ସର୍ବନିମ୍ନ ଅର୍ଥରାଶିରେ ମୁମ୍ବାଇର ଜେଏମ୍‌ସି-ଏସ୍‌ପିଏମ୍‌ଏଲ୍ ଯୋଗ୍ୟ ବିବେଚିତ ହୋଇଛି। କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ଦେବା ସହ ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ପ୍ରକଳ୍ପ ଦ୍ବାରା କୋରାପୁଟର ୬ଟି ବ୍ଲକ୍‌ ଅଧୀନରେ ୫୪ଟି ପଞ୍ଚାୟତ ଅନ୍ତର୍ଗତ ୫୬୮ ଗ୍ରାମର ୨,୪୫,୭୪୮ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏହି ୬ଟି ବ୍ଲକ୍‌ ହେଲା ଦଶମନ୍ତପୁର, ଲକ୍ଷ୍ମୀପୁର, ନନ୍ଦପୁର, ସିମିଲିଗୁଡ଼ା, ନାରାୟଣପାଟଣା ଓ ବନ୍ଧୁଗାଁ। ଜେଜେଏମ୍ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ତିନିଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ହାଇଦ୍ରାବାଦ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ମନୋନୀତ ହୋଇଛି। ୪୧୦ କୋଟି ୯୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲରା ୩ଟି ବ୍ଲକ୍‌ କଲମପୁର, ଜୟପାଟଣା ଓ ଜୁନାଗଡ଼ର ୬୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୮୨ ଗାଁର ୩,୪୨,୭୦୩ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳପାଇବେ।

ଜେଜେଏମ୍ ଯୋଜନାରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦୁଇଟି ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ହୋଇଥିବା ଟେଣ୍ଡର୍‌ରେ ମୁମ୍ବାଇର କେଇସି-କାବେରୀ ଯୋଗ୍ୟ ବିବେଚିତ ହୋଇଛି। ୧୯୨ କୋଟି ୮୮ ଲକ୍ଷ ଟଙ୍କାର କାର୍ଯ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ମଧ୍ୟ ୨୪ ମାସରେ ସରିବ। ଏହାଦ୍ବାରା ମାଲକାନଗିରି ଜିଲ୍ଲାର ୨ଟି ବ୍ଲକ୍‌ ପଡ଼ିଆ ଓ କୋରକୋଣ୍ଡାର ୧୩୬ଟି ଗ୍ରାମର ଏକ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ।
ଜେଜେଏମ୍ ଯୋଜନାରେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଏକ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ହୋଇଥିବା ଟେଣ୍ଡରରେ ମୁମ୍ବାଇର ବ୍ଲୁ ଷ୍ଟାର୍‌- ଏସ୍‌ପିଏମ୍‌ଏଲ୍‌ ଇନ୍‌ଫ୍ରା ଯୋଗ୍ୟ ବିବେଚିତ ହୋଇଛି। ୧୨୬ କୋଟି ୫୧ ଲକ୍ଷ ଟଙ୍କାରେ ସଂସ୍ଥାକୁ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ୨୪ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକ୍‌ ଅଧୀନ‌ ୨୦ଟି ପଞ୍ଚାୟତର ୧୪୪ଟି ଗ୍ରାମର ୧ ଲକ୍ଷ ୬୭ ହଜାର ଲୋକ ପାନୀୟ ଜଳ ପାଇବେ।
ଜେ‌ଜେଏମ୍ ଯୋଜନାରେ ଗଜପତି ଓ କନ୍ଧମାଳ ଜିଲ୍ଲାରେ ତିନିଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ହୋଇଥିବା ଟେଣ୍ଡର୍‌ରେ ମୁମ୍ବାଇର ଜେଏମ୍‌ସି-ଏସ୍‌ପିଏମ୍‌ଏଲ୍ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଛି। ଏହି ସଂସ୍ଥାକୁ ୬୨୨ କୋଟି ୧୩ ଲକ୍ଷ ଟଙ୍କାରେ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ୨୪ ମାସରେ ସରିବ। ଏଥିରେ ଗଜପତି ଓ କନ୍ଧମାଳର ୫ଟି ବ୍ଲକ୍‌ ଅଧୀନରେ ଥିବା ୮୨ଟି ପଞ୍ଚାୟତ ଅନ୍ତର୍ଗତ ୯୨୦ଟି ଗ୍ରାମର ଲୋକ ଉପକୃତ ହେବେ। ଏହି ବ୍ଲକ୍‌ଗୁଡ଼ିକ ହେଲା ଗଜପତି ଜିଲ୍ଲାର ମୋହନା, ଗୁମ୍ମା, ଆର୍‌ ଉଦୟଗିରି ଓ ନୂଆଗଡ଼ ଏବଂ କନ୍ଧମାଳ ଜିଲ୍ଲଶର ଦାରିଙ୍ଗିବାଡ଼ି।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରୁ ବାଦ୍ ପଡ଼ୁଥିବା ଗ୍ରାମ/ପଡ଼ା ଗ୍ରାମଗୁଡ଼ିକୁ ସବୁଦିନିଆ ରାସ୍ତା ସଂଯୋଗ ପାଇଁ ୨୦୧୪-୧୫ରୁ ରାଜ୍ୟ ସରକାର ନିଜସ୍ବ ଅର୍ଥରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଯୋଜନାର ପରିସର ବ୍ୟାପକ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩୫୦ଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ ପଞ୍ଚାୟତିରାଜ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତାର ଉନ୍ନତୀକରଣ କରାଯିବ। ଏହାବାଦ୍ ଏହି ଯୋଜନାରେ ପୂର୍ବରୁ ଚାଲୁ ରହିଥିବା ୧୫୭ଟି ରାସ୍ତା ଓ ମାଓପ୍ରବଣ ଅଞ୍ଚଳରେ ୩୭ଟି ନୂଅ ରାସ୍ତା ନିର୍ମାଣ କରାଯିବ। ଏହାର ଓସାର ୫.୫ ମିଟର କରାଯିବ। ୩ ବର୍ଷ ମଧ୍ୟରେ ୨୦୦୦ କୋଟି ଟଙ୍କା ବିନିମୟରେ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଥିବା ସମସ୍ତ ଅସଂଯୋଜିତ ସ୍ଥାନଗୁଡ଼ିକୁ ସେତୁ ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୧-୧୨ ମସିହାରେ ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଅନୁମୋଦନ ହୋଇଥିବା ୧୩୩୨ଟି ସେତୁ ପ୍ରକଳ୍ପ ମଧ୍ୟରୁ ୨୦୨୧ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୯୩୬ଟି ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ‌ହୋଇଛି। ଚାଲୁ ରହିଥିବା ୩୯୬ଟି ପ୍ରକଳ୍ପ ସହିତ ୫୫୦ଟି ନୂଆ ପ୍ରକଳ୍ପକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ୩ ବର୍ଷ ମଧ୍ୟରେ ୫୧୮୨ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି।୧୦ ହଜାର ୭୫୯ ‌କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଢିପ ଚାଷୋପଯୋଗୀ ଜମିକୁ ଜଳସେଚନ ନିମିତ୍ତ ‘ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା’ କ୍ୟାବିନେଟ୍ ଅନୁମୋଦନ ପାଇଛି। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ସାରା ରାଜ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିବ।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ପାଇଁ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ‘ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’(ଇନ୍-ଷ୍ଟ୍ରିମ୍‌ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍) ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମ ନିକଟରେ ଆନିକଟ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରେ ଜଳ ଭିତରେ ଯାନ୍ତ୍ରିକ କାର୍ଯ୍ୟ, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ। ପ୍ରକଳ୍ପ ପାଇଁ ୧୧୭ କୋଟି ୪୪ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ପ୍ରକଳ୍ପଟି ୩୦ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍ପଟି ଛତାମଖନା ସହିତ ବଲାଙ୍ଗୀର ଓ ପୁଇଁତଳା ବ୍ଲକ୍‌ର ଅନ୍ୟ ତେରଟି ଗ୍ରାମର ଲୋକଙ୍କ ଘରୋଇ ବ୍ୟବହାର ପାଇଁ ଜଳ ଉପଲବ୍ଧ କରାଇବ। ଏହି ଜଳାଶୟ ୦.୮୭ ହେକ୍ଟର ପରିମିତ ଅଞ୍ଚଳର ମାଛ ଚାଷ ଓ ୪୧୭.୫୨ ହେକ୍ଟ ଜମିକୁ ଜଳସେଚନ ମଧ୍ୟ ଯୋଗାଇ ପାରିବ।

କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ଜୁନ୍ ମାସରେ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପ୍ରଣୟନ କରାଯାଇଥିଲା। ଏହି ଯୋଜନାକୁ ଠିକ୍ ଭାବେ ଉପଯୋଗ କରିବା ତଥା ଗ୍ରାମାଞ୍ଚଳରେ ବ୍ୟାପକ ସୁଯୋଗ ଯୋଗାଇ କୃଷକଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ଆସନ୍ତା ପାଞ୍ଚ ବର୍ଷରେ ୪୮୪.୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଅଟକଳକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହାଦ୍ବାରା ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବା ସହ କୃଷି କ୍ଷେତ୍ରରେ ଦ୍ରୁତ ଆଧୁନିକୀକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯,୩୮୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ନିଜସ୍ୱ ଯୋଜନା ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରି ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ବିଶେଷ କରି ଜଳସେଚନ, ରାସ୍ତା, ପିଇବା ପାଣି, ପୋଲ, କୃଷି ଉଦ୍ୟୋଗ ଆଦି କ୍ଷେତ୍ର ଉପରେ ବଜେଟରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏଥିରେ ୧୯,୩୮୦ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ଦିଆଯାଇଛି। ଏହା ପରେ କ୍ୟାବିନେଟ୍‌ ବୈଠକରେ ମଧ୍ୟରେ ଚିଠା ବଜେଟ୍‌ ପାରିତ ହୋଇଥିଲା। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ ଡିସେମ୍ବର ୧ ତାରିଖରେ ଅର୍ଥ ମନ୍ତ୍ରୀ ଏହି ଅତିରିକ୍ତ ବଜେଟ୍‌ ଆଗତ କରିବେ। ଡିସେମ୍ବର ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଅନୁମୋଦନ ହୋଇଛି।

ସମ୍ବନ୍ଧିତ ଖବର