ବୈପାରିଗୁଡା: ଗଂଜେଇ ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣରେ ଓଏପିଏଫ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅଞ୍ଚଳରୁ ଏକ କାର୍ ଯୋଗେ ତିନି ଜଣ ଗଂଜେଇ ମାଫିଆ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ମାଛକୁଣ୍ଡ ପୁଲିସ କୈାଣସି ସୂତ୍ରରୁ ଖବର ପାଇ କାରଟିକୁ ପିଛା କରିଥିଲେ। ତେବେ ମାଫିଆ ମାନେ ଲମତାପୁଟ ଥାନା ସୀମା ଭିତରକୁ ପ୍ରବେଶ କରିବା ପରେ ରାସ୍ତା ବଦଳେଇ ବୈପାରିଗୁଡା ଥାନା ଅଞ୍ଚଳକୁ ପ୍ରବେଶ କରିଥିଲେ।
ତେବେ ଲମତାପୁଟ ପୁଲିସ ଏସଂପର୍କରେ ବୈପାରିଗୁଡା ଥାନାକୁ ଜଣାଇଥିଲେ। ବୈପାରିଗୁଡା ଥାନା ଡିଏସପି ବିରଞ୍ଚିନାରାୟଣ ଜଗତଙ୍କ ସହିତ ଏକ ଟିମ୍ ଗାଡପୁଟ ଛକରେ ଛକି ବସିଥିଲେ। ଗଂଜେଇ ମାଫିଆ ମାନେ ମାଙ୍କିଡି ବାଟ ଦେଇ ଆସୁଥିବା ବେଳେ ଜାଣିପାରିଲେ ଯେ ସେମାନେ ଚାରି ଦିଗରୁ ପୋଲିସ ଘେରରେ ଫସି ଯାଇଛନ୍ତି। ତେଣୁ ଜାମଯୋଡି ନିକଟରେ ଜଂଗଲ ଭିତରକୁ କାରଟିକୁ ନେଇ ଲୁଚାଇ ରଖିବା ପରେ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ। ତିନି ଜଣ ତିନି ଦିଗକୁ ଦୈାଡିବା ପାଇଁ ଉଦ୍ୟମ କରୁଥିବା ବେଳେ ଓଏପିଏଫ୍ କର୍ମଚାରୀ ମାନେ ମଧ୍ୟ ସେମାନଙ୍କୁ ଧରିବା ପାଇଁ ପିଛା କରିଥିଲେ।
ଓଏପିଏଫ୍ କର୍ମଚାରୀ ଭଗବାନ ଖଡାଙ୍କ ହାତରେ ଜଣେ ଧରାପଡ଼ିବା ପରେ ଭଗବାନ ତାକୁ କାବୁ କରିଥିଲେ ମଧ୍ୟ ମାଫିଆ ଜଣକ ଅତର୍କିତ ଭାବେ ଏକ ଲୁହା ଛଡରେ ତାଙ୍କ ମୁଣ୍ଡରେ ଏକାଧିକବାର ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ମଧ୍ୟ ମାଫିଆକୁ ଜାବୁଡ଼ି ଧରିବା ସହ ଜୋରରେ ଚିତ୍କାର କରିଥିଲେ। ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ମାଫିଆକୁ ଜବତ କରିବା ସହ ଗୁରୁତର ଭାବେ ଆହତ ଭଗବାନଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ମାଫିଆ ଜଣକ ମଧ୍ୟପ୍ରଦେଶ ଅନ୍ତର୍ଗତ ଭୋପାଲ ଜିଲ୍ଲାର ସିଲବେଡାର ଶଙ୍କର ମିନା (୪୬) ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/69702862-de67-4c48-b857-39d62f6c266b.jpg)