ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ମିଳିଲାନି ପରୀକ୍ଷା ଅନୁମତି

ସ୍ୟାଟ୍‌ରେ ଓଏଏସ୍‌ ମାମଲା

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ବୟସ ସୀମା ଅତିକ୍ରମ କରି ସାରିଥିବା ପ୍ରାର୍ଥୀଙ୍କ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୭ର ପ୍ରିଲିମନାରୀ ପରୀକ୍ଷାରେ ବସିବା ଆଶା ମଉଳି ଯାଇଛି। ପ୍ରିଲିମନାରୀ ପରୀକ୍ଷା ଫେବ୍ରୁଆରି ୧୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ବୟସ ଅତିକ୍ରମ କରି ସାରିଥିବା କିଛି ପ୍ରାର୍ଥୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବାଧିକ ବୟସ ସୀମା ନେଇ ବିଜ୍ଞପ୍ତିରେ ରହିଥିବା ସର୍ତ୍ତ ସହିତ ଅନ୍ୟ କେତେକ ସର୍ତ୍ତକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥି ସହିତ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଫେବ୍ରୁଆରି ୧୮ରେ ଅନୁଷ୍ଠିତ ହେବାକୁ ଥିବା ପ୍ରିଲିମନାରୀ ପରୀକ୍ଷାରେ ବସିବା ପାଇଁ ଅନ୍ତରୀଣ ଅନୁମତି ଲୋଡି ଆବେଦନକାରୀ ପିଟିସନ୍‌ ଦାଖଲ କରିଥିଲେ। ଆଜି ସ୍ୟାଟ୍‌ ମାମଲାର ଶୁଣାଣି କରି ଫେବ୍ରୁଆରି ୧୮ରେ ଅନୁଷ୍ଠିତ ହେବାକୁ ଥିବା ପ୍ରିଲିମନାରୀ ପରୀକ୍ଷା ଦେବାକୁ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରିବାକୁ ମନା କରିଛନ୍ତି। ଏଥି ସହିତ ମୂଳ ମାମଲାରେ ୧୫ ଦିନ ଭିତରେ ଜବାବ ଦାଖଲ ପାଇଁ ଓପିଏସ୍‌ସିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆବେଦନକାରୀମାନେ ସ୍ୟାଟ୍‌ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରୁଥିବା ବେଳେ ଓପିଏସ୍‌ସି ପକ୍ଷରୁ ସଚିବ କେ.ସି.ପତି ଓ ଲ’ ଅଫିସର କେ.ଆର୍‌.ପାତ୍ର ଉପସ୍ଥିତ ରହି ପକ୍ଷ ରଖିଥିଲେ ବୋଲି ଓପିଏସ୍‌ସି ଓକିଲ ଶଶୀଭୂଷଣ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର