ବାଲେଶ୍ବର: ଅଭିନେତ୍ରୀରୁ ଓଏଏସ୍ ହେବାର ସ୍ବପ୍ନ। ନିଷ୍ଠା, ଅକ୍ଳାନ୍ତ ପରିଶ୍ରମ ଦ୍ବାରା ସେ ଆଜି ସଫଳତାକୁ ଛୁଇଁପାରିଛନ୍ତି। ଗ୍ଲାମର ଦୁନିଆରୁ ଆସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେବା ଯଦିଓ ଯାତ୍ରା କଷ୍ଟକର ଥିଲା, ହେଲେ ତାଙ୍କ ପାଇଁ ଏହା ଅସମ୍ଭବ କିଛି ନଥିଲା। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଶତ ଚେଷ୍ଟା ଥିଲେ ସଫଳତା ବେଶି ଦୂର ନୁହେଁ, ଆଜି ସେ ପ୍ରମାଣ କରି ଦେଖାଇଛନ୍ତି। ବାଲେଶ୍ବର ସହର ସମଲପୁର ସ୍ଥିତ ବାଲିଆ ଅଞ୍ଚଳରେ ରହୁଥିବା ଅଭିନେତ୍ରୀ ବନ୍ଦନା ପରମାଣିକ (୨୭) ଚଳିତ ଓଏଏସ୍ ପରୀକ୍ଷାରେ ୩୦୪ ରୢାଙ୍କ ରଖିଛନ୍ତି ବାଲେଶ୍ବରକୁ ଗର୍ବିତ କରିଛନ୍ତି।
ସ୍ବର୍ଗତ ସନ୍ତୋଷ ପରମାଣିକ ଓ ଦମୟନ୍ତୀ ପରମାଣିକଙ୍କ ସାନଝିଅ ହେଉଛନ୍ତି ବନ୍ଦନା। ବାପା ସରକାରୀ ଚାକିରି କରିଥିବା ବେଳେ ବନ୍ଦନାଙ୍କ ଉପର ତିନି ଭଉଣୀ ମଧ୍ୟ ସରକାରୀ ଚାକିରିରେ ନିୟୋଜିତ ଅଛନ୍ତି। ପାଠପଢ଼ା ସମୟରୁ ବନ୍ଦନା ଅଭିନୟ, ମଡେଲିଂ ପ୍ରତି ରୁଚି ରଖିଥିଲେ। ବିଜେବି କଲେଜରେ ଯୁକ୍ତତିନି ବାଣିଜ୍ୟରେ ପଢୁଥିବା ବେଳେ ତାଙ୍କୁ ଚଳଚ୍ଚିତ୍ର କରିବାକୁ ସୁଯୋଗ ମିଳିଥିଲା। ଆଉ ଏଥିରେ ସେ ସଫଳ ହୋଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ସମ୍ବାଦ’ର ମୁଖ୍ୟ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମଞ୍ଜରୀ ଟିଭି ପ୍ରଡକ୍ସନ୍ର ‘ତୁ ଆଉ ମୁଁ’ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ସେହିପରି ଦ୍ବିତୀୟ ଚଳଚ୍ଚିତ୍ର ‘ଲଭ୍ ଫିବର୍’ରେ ମଧ୍ୟ ସେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ବନ୍ଦନା କହନ୍ତି, ଅଭିନୟ ଓ ମଡେଲିଂ ପ୍ରତି ରୁଚି ରଖିଥିଲି ସତ; ହେଲେ ମୋତେ ଲୋକଙ୍କ ସହ ମିଶିବାକୁ ଏବଂ ସେମାନଙ୍କ ପାଇଁ କାମ କରିବାକୁ ବହୁତ ଭଲ ଲାଗେ। ପାଠପଢ଼ା ସମୟରୁ ମୁଁ ସିଭିଲ୍ ସର୍ଭିସ୍ରେ ଯିବାକୁ ଲକ୍ଷ୍ୟ ରଖିଥିଲି।
ଏହାରି ଭିତରେ ମୁଁ ଓଏଏସ୍ ପାଇଁ ପ୍ରସ୍ତୁତ ହେଉଥିଲି। ହେଲେ କରୋନା ମହାମାରୀ ମୋତେ ବେଶି ସୁଯୋଗ ଆଣିଦେଇଥିଲା। କରୋନା ସମୟରେ ମୁଁ ଓଏଏସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲି। ଆଉ ପ୍ରଥମ ଥର ପରୀକ୍ଷାରେ ସଫଳତା ପାଇଥିବାରୁ ବେଶି ଖୁସି ଲାଗୁଛି। ଏହି ସଫଳତା ପାଇଁ ମୋ ପରିବାର ଓ ମା’ ଦମୟନ୍ତୀଙ୍କୁ ଶ୍ରେୟ ଦେବି। ଏବେ ଗ୍ଲାମର ଦୁନିଆରୁ ବିରତି ନେବି। ଯେକୌଣସି ଜିଲ୍ଲାରେ ନିୟୋଜିତ କରାଗଲେ କିଛି ଅସୁବିଧା ନାହିଁ, ତେବେ ନିଜ ଜିଲ୍ଲାରେ ନିଯୁକ୍ତି ମିଳିଲେ ସେ ବେଶି ଖୁସି ହେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଓଏଏସ୍ ହେବା ପରେ ମହିଳା ସାକ୍ଷରତା ଏବଂ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେବେ ବୋଲି ବନ୍ଦନା କହିଛନ୍ତି।