ଓଏଏସ୍‌ ସ୍ତରରେ ଅଦଳବଦଳ ଓ ପଦୋନ୍ନତି

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। କିଛି ଅଧିକାରୀଙ୍କ ବଦଳି ନେଇ ପୂର୍ବରୁ ଜାରି ହୋଇଥିବା ଆଦେଶକୁ ରଦ୍ଦ କରାଯିବା ସହ ଜଣଙ୍କୁ ସୁପରଟାଇମ୍‌ ପଦବିକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦୁଇଟି ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଗଞ୍ଜଆଇସିର ମହାପ୍ରବନ୍ଧକ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ଅନାମ ଚରଣ ପାତ୍ର ସେହି ପଦବିରେ ରହିବେ। ଗତ ୨୪ ତାରିଖରେ ଶ୍ରୀ ପାତ୍ରଙ୍କର ଗଜପତି ଜିଲ୍ଲା ଏଡିଏମ୍‌ ଭାବେ ବଦଳି ହୋଇଥିଲା।

ସେହିପରି ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ରାମ ଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଆନନ୍ଦପୁର ଉପଜିଲ୍ଲାପାଳ ଥିବା ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ବାଲିଗୁଡ଼ା ଆଇଟିଡିଏର ପିଏ ଥିବା ଓଏଏସ୍‌ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜୀତଙ୍କୁ ଗଜପତି ଜିଲ୍ଲା ଏଡିଏମ୍‌ ଭାବେ ନିଯୁକ୍ତ କରାଯାଇଛି। ସେ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଭୂ-ଅଧିଗ୍ରହଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପୂର୍ବରୁ ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଶ୍ରୀ ରଞ୍ଜୀତଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇଛି।

ଗଞ୍ଜାମକୁ କୋଭିଡ୍‌ ଡେପୁଟେସନ୍‌ରେ ଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଉପଶାସନ ସଚିବ ପଦ୍ନନାଭ ବେହେରାଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ବେହେରା ସମ୍ବଲପୁର ଜିଲ୍ଲା ଏସ୍‌ଡିଓ ଭାବେ ମଧ୍ୟ କାର୍ଯ୍ୟ କରିବେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ ଥିବା ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆର୍‌ଟିଓ ଭାବେ ଅବସ୍ଥାପିତ କରାଯାଇଛି। ଗଜପତି ଜିଲ୍ଲା ପ୍ରଶାସନକୁ କୋଭିଡ୍‌ ପରିଚାଳନାରେ ସହାୟତା କରିବା ପାଇଁ ରଞ୍ଜୀତ ପଣ୍ଡାଙ୍କ ଡେପୁଟେସନ୍‌ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୂର୍ବପରି ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗର ଉପସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଆରଟିଓ ଥିବା ଲଳିତ ମୋହନ ବେହେରାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେ ଅନୁଗୁଳ ଜିଲ୍ଲାର ଏସ୍‌ଡିଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସୁବର୍ଣ୍ଣପୁର ତରଭା ବ୍ଲକ୍‌ ବିଡିଓ ଥିବା ନିହାର ରଞ୍ଜନ କହଁରଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଓ ଜିଲ୍ଲା ଏସ୍‌ଡିଓ ଭାବେ କାର୍ଯ୍ୟ କରିବାକୁ ଦାୟିତ୍ବ ଦିଆଯାଇଛି। ପୁରୀ ଜିଲ୍ଲା ସତ୍ୟବାଦି ବ୍ଲକ୍‌ ବିଡିଓ ଥିବା ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଶ୍ରୀ ଦତ୍ତ କେନ୍ଦୁଝର ଜିଲ୍ଲା ଏସ୍‌ଡିଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରି ଫୁଲବାଣୀ ଉପଜିଲ୍ଲାପାଳ ଥିବା ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏର ପିଏ ଭାବେ ଅବସ୍ଥାପିତ କରାଯାଇଛି। ଖଣି ଓ ଇସ୍ପାତ ବିଭାଗର ଉପସଚିବ ଥିବା କାହ୍ନୁ ଚରଣ ମଲ୍ଲିକଙ୍କୁ ସୁପର୍‌ଟାଇମ୍‌ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି।

ସମ୍ବନ୍ଧିତ ଖବର