ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ମୂଳରୁ ବିବାଦୀୟ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ବିଡିଓ ଥିବାବେଳେ ସେ ବେଶ୍ ଚର୍ଚ୍ଚିତ ଥିଲେ। ୧୯୯୨ ମସହାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ହେଉଥିବା ଏକ ସଭା ମଞ୍ଚ ଉପରେ ବ୍ଲକ ଅଧ୍ୟକ୍ଷ‌ାଙ୍କୁ ତତ୍କାଳୀନ ମନ୍ତ୍ରୀ ଶ୍ରୀ ରାଉତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ତତ୍କାଳୀନ ମନ୍ତ୍ରୀ ଶ୍ରୀ ରାଉତଙ୍କ ସମର୍ଥନରେ ଦୁଇପଦ କହିଦେବା ପରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା ଓ ସରକାର ଜନସାଧାରଣଙ୍କ କଟୁ ସମାଲୋଚନାର ଶିକାର ହୋଇଥିଲା।

Advertisment

publive-image

ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେହି ଚର୍ଚ୍ଚିତ ଘଟଣାର ତଦନ୍ତ କରିଥିଲା ଓ ମନ୍ତ୍ରୀ ଦାମ ରାଉତଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା। ସେତେବେ‌ଳେ ବିଭୁ ପ୍ରସାଦ ଷଡ଼ଙ୍ଗୀ କୁତ୍ରା ବ୍ଲକ୍‌ର ବିଡିଓ ଦାୟିତ୍ବରେ ଥିଲେ। ତାଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଥିଲା। ସେତେବେଳେ ସେ ତାଙ୍କ ରିପୋର୍ଟରେ ଶ୍ରୀ ରାଉତଙ୍କ ବିରୋଧରେ ଉଲ୍ଲେଖ କରିଥିଲେ। କିନ୍ତୁ ପରେ ଶ୍ରୀ ରାଉତଙ୍କୁ କ୍ଲିନ୍‌ଚିଟ୍‌ ମିଳି ଯାଇଥିଲା। ଏଣୁ ବିଡିଓଙ୍କ ରିପୋର୍ଟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଜଣେ ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ରିପୋର୍ଟ ଦେଇ ସେ ସେତେବେଳେ ବିବାଦକୁ ଆସିଥିଲେ।

publive-image Odisha Sun Times

ଏ ନେଇ ପୂର୍ବତନ ମନ୍ତ୍ରୀ ଦାମ ରାଉତ କହିଛନ୍ତି, ବିଡିଓଙ୍କ ରିପୋର୍ଟ ଆଧାରରେ ତାଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହୋଇନଥିଲା। କାରଣ ଅଭିଯୋଗ ମିଛ ଥିଲା। ଏହି ଘଟଣା ପରେ ତାଙ୍କୁ ଭୁବନେଶ୍ବରକୁ ବଦଳି କରାଯାଇଥିଲା। ଏହି ସମୟରେ ଅନ୍ୟ ଏକ ଘଟଣାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାରେ ବିଭୁ ପ୍ରସାଦ ମାଜିଷ୍ଟ୍ରେଟ୍‌ ଭାବରେ ନିୟୋଜିତ ହୋଇଥିଲେ। ସେ ବିଧାନସଭା ପରିସରରେ ୧୪୪ ଧାରା ଜାରି କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ ୧୪୪ ଧାରା ଭାଙ୍ଗି ସେଠାରେ ଧାରଣା ଦେବାରୁ ଦଫା ୧୮୮ବଳରେ ମାଜିଷ୍ଟ୍ରେଟ୍‌ ବିଭୁପ୍ରସାଦ ତାଙ୍କୁ ନୋଟିସ୍‌ କରିଥିଲେ। କୋର୍ଟରେ ହାଜର ହେବା ପାଇଁ ମାଜିଷ୍ଟ୍ରେଟ୍‌ ବିଭୁପ୍ରସାଦ ଯେଉଁ ତାରିଖ ଧାର୍ଯ୍ୟ କରିଥିଲେ ସେହି ଦିନ ବିଧାନସଭାର ଅଧିବେଶନ ଦିବସ ଥିଲା। ତେଣୁ ୧୮୮ ଧାରା ବଳରେ ମାଜିଷ୍ଟ୍ରେଟ୍‌ ନୋଟିସ୍‌ କରିପାରିବେ ନାହିଁ ବୋଲି ନିୟମ ରହିଥିଲା। କିନ୍ତୁ କ୍ଷମତାର ଅପବ୍ୟବହାର କରି ବିଭୁପ୍ରସାଦ ଏଭଳି ଉଦ୍ଦେଶ୍ୟମୂଳକ ଭାବରେ ନୋଟିସ୍ କରିଥିବା ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ ଅଭିଯୋଗ କରିବା ପରେ ଏକ ସ୍ବତନ୍ତ୍ର ସ୍ବାଧିକାର କମିଟି ଗଠନ ହୋଇଥିଲା। ତାହାର ଅଧ୍ୟକ୍ଷ ଥିଲେ ନରସଂହ ମିଶ୍ର। ଏହି ଅଭିଯୋଗର ବିଚାର ହୋଇଥିଲା। କମିଟ ବିଚାର କରିବା ପରେ ବିଭୂ ପ୍ରସାଦଙ୍କୁ ଦୋଷୀ କରିଥିଲା।

publive-image

ତେଣୁ ଚାକିରି କାଳ ମଧ୍ୟରେ ବିଭୂ ପ୍ରସାଦ ମାଜିଷ୍ଟ୍ରେଟ୍‌ କ୍ଷମତା ଉପଭୋଗ କରିପାରିବେ ନାହିଁ ବୋଲି ସ୍ବାଧିକାର କମିଟି ସୁପାରିସ କରିଥିଲା। ଏଣୁ ତାଙ୍କୁ ଏଭଳି କ୍ଷମତା ଥିବା ପଦବି (ଡିଏମ୍‌,ଏଡିଏମ୍‌ ଇତ୍ୟାଦି) ଦିଆନଯିବାକୁ ସରକାରଙ୍କୁ କମିଟି ସୁପାରିସ କରିଥିଲା। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରିଥିଲେ। ସେବେଠାରୁ ବିଭୁପ୍ରସାଦଙ୍କୁ ଏଭଳି ପଦ ପଦପଦବି ମିଳୁ ନାହିଁ।