ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଅତିରିକ୍ତ ସଚିବ ବ୍ରହ୍ମାନନ୍ଦ ବେହେରାଙ୍କୁ କଟକର ଜମିଜମା ରେକର୍ଡ ଓ ସର୍ଭେର ଅତିରିକ୍ତ ନିର୍ଦ୍ଦେଶକ, ଗଞ୍ଜାମର ଉପ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତଙ୍କୁ କଟକ ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଉପ ଆୟୁକ୍ତ, ଭଦ୍ରକର ଉପ ଜିଲ୍ଲାପାଳ ଜୟଶ୍ରୀ ସେନାପତିଙ୍କୁ ରାଜ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଓସ୍ଡମାର ଉପ ମହାପ୍ରବନ୍ଧକ ସୁସ୍ମିତା ବେହେରାଙ୍କର ଯୋଗାଣ ବିଭାଗକୁ ହୋଇଥିବା ବଦଳିକୁ ବାତିଲ୍ କରାଯାଇଛି।
୭ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ
ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ଓଡ଼ିଶାରୁ କିଛି ଆଇଏଏସ୍ ଅଫିସର୍ଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କମିସନ୍ ନିଯୁକ୍ତି ଦେଇଛନ୍ତି। ସେହି ସମୟ ମଧ୍ୟରେ ସେମାନଙ୍କ ପଦବିରେ କିଛି ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ଶୁଭା ଶର୍ମାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଶ୍ରମ ଆୟୁକ୍ତ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ସିଏମ୍ଜିଆଇ ଇଡି ସଦ୍ଦିକ୍ ଆଲାମ୍ଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ସଂସ୍କୃତି ନିର୍ଦ୍ଦେଶକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ବ ମୋହନ ରାୟଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ, ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରାଙ୍କୁ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।