ଓଏଏସ୍‌ ଅଧିକାରୀଙ୍କୁ ସୁରକ୍ଷା ଚିନ୍ତା, ପିଏସ୍‌ଓ ମାଗିଲେ

ଯାଜପୁରଟାଉନ/ସଦର : ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଯାଜପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ପରିଚାଳନା ସମୟରେ ଅଧିକାରୀମାନଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି। ଅସୁରକ୍ଷିତ ଭାବେ କାର୍ଯ୍ୟ କରିବା କଷ୍ଟକର ବୋଲି ପ୍ରଶାସନିକ ଅଧିକାରୀମାନେ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟମାନଙ୍କୁ ଜଣେ ଲେଖାଏଁ ପିଏସ୍‌ଓ ବା ସୁରକ୍ଷାକର୍ମୀ ଯୋଗାଇ ଦେବା, ଆଇନଗତ କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସ ଫୋର୍ସ ଉପସ୍ଥିତ ରହିବା, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ମୌଖିକ ବା ଲିଖିତ ଆଦେଶ ବଳରେ ପୁଲିସ ସୁରକ୍ଷା ଯୋଗାଇ ଦେବା, କୌଣସି ବ୍ୟକ୍ତିଙ୍କ ମୌଖିକ ବା ଶାରୀରିକ ଅସଦାଚରଣ ଘଟଣାରେ ଅପରାଧିଙ୍କ ମାମଲା ଭାବେ ଗ୍ରହଣ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଓଏଏସ୍‌ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ସମୟରେ ଜିଲ୍ଲା ଓଏଏସ୍‌ ସଂଘ ସଭାପତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଯାଜପୁର ବିଡିଓ ‌ସୌରଭ ଚକ୍ରବର୍ତ୍ତୀ, ବ୍ୟାସନଗର ତହସିଲଦାର ଡ. ଶରତ ଚନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଅସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର